ଏଣିକି ଓଡ଼ିଆ ଫଳକ ବାଧ୍ୟତାମୂଳକ: ୭ ଦିନିଆ ନୋଟିସ୍ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ

183

କନକ ବ୍ୟୁରୋ: ଓଡିଆରେ ନାମଫଳକ ଲେଖିବା ପାଇଁ ରାଜ୍ୟ ସରକାର ର୍ପୂବରୁ ନିୟମ କରିଛନ୍ତି । କିନ୍ତୁ ନିୟମ କେମିତି ପାଳନ ହେଉଛି ଏସବୁ ହେଉଛି ତାର ପ୍ରମାଣ । ରାଜ୍ୟ ସରକାରଙ୍କ ନିୟମକୁ କିଛି ବ୍ୟବସାୟୀ ଏମିତି ମାନୁଛନ୍ତି । ଯାହାକୁ ନେଇ ପୁଣି ଥରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର ।

ଯେଉଁ ବ୍ୟବସାୟୀମାନେ ଓଡିଆରେ ନାମଫଳକ ଲେଖୁନଥିଲେ ସେମାନେ ଆଉ ଖସି ପାରିବେନି । ବାଧ୍ୟତାମୂଳକ ଭାବେ ଓଡ଼ିଶାର ସବୁ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବେ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ଏହା ପରେ ଯଦି ସେମାନେ ଓଡ଼ିଆରେ ନାମ ଫଳକ ନଲେଖନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜରିମାନା ସହ ଆବଶ୍ୟକ ସ୍ଥଳେ ଦୋକାନ ଅବା ସଂସ୍ଥାର ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମ ଥର ଖିଲାପକାରୀଙ୍କୁ ୫ହଜାର ଟଙ୍କା, ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ଚଳିତ ମାସ ସୁଦ୍ଧା ନିୟମ ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ନିୟମ କିପରି କଡାକଡି ପାଳନ କରାଯିବ ସେଥିପାଇଁ, ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ଶ୍ରମ ଅଧିକାରୀ, ପୌରାଚଂଳ କାର୍ଯ୍ୟନିର୍ବାହୀ ଅଧିକାରୀ ତଦାରଖ କରିବେ । ଆବଶ୍ୟକତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଆରେ ନାମଫଳକ ଲେଖାଯିବାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀ କହିଛନ୍ତି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ । ନିୟମକୁ ଲାଗୁ କରିବା ପାଇଁ ପ୍ରଶାସନିକ ସ୍ତରରେ ଯେଉଁଭଳି ଉଦ୍ୟମ ହେବା କଥା ତାହା ହେଉ ନାହିଁ । ବିଜେଡି ବିଧାୟକ କହିଛନ୍ତି, ଆଇନକୁ ନିଜେ ନମାନିଲେ କରିବ କିଏ? କାର୍ଯ୍ୟାନୁଷ୍ଠାନ ହୋଇଛି କିନ୍ତୁ ଆଶାନୁରୂପକ ହୋଇନାହିଁ ।

ଓଡିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ଦୀର୍ଘ ବର୍ଷ ହେଲା ରାଜ୍ୟରେ ନିୟମ ରହିଛି । ଯେଉଁମାନେ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରାବଧାନ ରହିଛି । ହେଲେ, କିଛି ଦୋକାନୀ ଓ ବ୍ୟବସାୟୀ ସେହି ନିୟମକୁ ମାନୁ ନାହାଁନ୍ତି । ଆଉ ପ୍ରଶାସନ କେବଳ ନିୟମ କରି ଚୁପ୍ ବସି ଯାଉଛନ୍ତି ।