ମଦୁଆଙ୍କୁ ସାବାଡ୍ କରିବାକୁ ପୋଲିସର କସରତ । ମଦ ପିଇ ଡ୍ରାଇଭିଂ ବେଳେ ଜବତ ହେଲା ୫୦ରୁ ଅଧିକ ଦାମୀ ଗାଡି । ଗାଡି ଦେଖିବାକୁ ଥାନାରେ ଭିଡ଼

835

କନକ ବ୍ୟୁରୋ: ମଦୁଆଙ୍କ ଦାମୀ ଗାଡି । ଗାଡି ଦେଖିବାକୁ ଥାନାରେ ଭିଡ । ମଦ ପିଇ ଗାଡି ଚଳାଇବାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି କମିସନରେଟ୍ ପୋଲିସ । ଏହାକୁ ନେଇ ୫୦ରୁ ଅଧିକ ନାମୀଦାମୀ ଗାଡି ଜବତ କରିଛି ପୋଲିସ । ଏଥିରେ ପୋର୍ସେ, ବିଏମ୍ଡବ୍ଲ୍ୟୁ, ମର୍ସଡିଜ୍, ଆଉଡି, ରେଞ୍ଜ୍ ରୋବର, ଥାର, କ୍ରେଟା ଭଳି ଗାଡି ରହିଛି । ମଦ୍ୟପାନ କରି ଗାଡି ଚଳାଉଥିବାବେଳେ ଏହି ସବୁ ଗାଡିକୁ ଜବତ କରିଛି କମିସନରେଟ୍ ପୋଲିସ । ଯାହାକୁ ଦେଖିବା ପାଇଁ ପୋଲିସ ଷ୍ଟେସନରେ ଜମିଛି ଲୋକଙ୍କ ଗହଳି ।

  • ମଦୁଆଙ୍କ କୋଟି କୋଟି ଟଙ୍କାର ଗାଡ଼ି
  • ଗାଡ଼ି ଦେଖିବାକୁ ଥାନାରେ ଭିଡ଼

ଅଡି, ବିଏମଡବଲ୍ୟୁ, ମର୍ସିଡିଜ, ପୋରସେଠୁ ଆରମ୍ଭ କରି ରେଞ୍ଜ ରୋଭର । କୋଟି କୋଟି ଟଙ୍କାର ଦାମୀ ଗାଡି ଦେଖିବାକୁ ଥାନାରେ ଭିଡ ଜମିଛି । କାହିଁକି ନା କମିଶନରେଟ ପୁଲିସ ଏବେ ଆକ୍ସନ ମୋଡରେ । ହାତରେ ମଦ ବୋତଲ ଧରି ବେପରୁଆ ଗାଡ଼ି ଚାଳକଙ୍କୁ ଏବେ ସାବାଡ କରାଯାଉଛି । ଖଣ୍ଡେ ଖଣ୍ଡେ ସ୍ପୋଟ୍ସ କାର ଧରି ଇନ୍ଦ୍ରଚନ୍ଦ୍ର ମାନୁ ନଥିବା ଧନୀ ବାପାଙ୍କ ନିଶାଡ଼ି ପୁଅଙ୍କ ରୋମିଓ ଗିରି ଛଡ଼ାଇ ଦେଇଛି ପୁଲିସ । କେବଳ ଗାଡିକୁ ଜବତ କରାଯାଇନି, ଏହା ସହିତ ଚାଳକଙ୍କୁ ବି ପାନେ ଚଖାଇଛି ପୁଲିସ । ନିଶାରେ ଟଳଟଳ ହେଉଥିବା ଚାଳକଙ୍କୁ ନିକଟସ୍ଥ ଥାନାରେ ରାତି କଟାଇବା ପାଇଁ ପଡିଛି ।

ଖାଲି ସେତିକି ନୁହେଁ ଲମ୍ବା ଲମ୍ବା ଦାମୀ ଗାଡି ସହ କିଛି ସରକାରୀ ବାବୁଙ୍କ ଗାଡି ବି ଦେଖିବାକୁ ମିଳିଛି । ଗୁଜରାଟ ସରକାର ଲେଖାଥିବା କାରର ଚାଳକଙ୍କୁ ବି ଥାନାରେ ଅଟକ ରଖି ଜରିମନା ଦେବାକୁ ପଡିଛି । ସେ ଗାଡି ଯାହାର ହେଉନା କାହିଁକି ଏଣିକି ଫାଇନ ଦେଇ ଥାନାରୁ ଆଉ ଗାଡି ନେଇ ପାରିବେନି ଗାଡି ମାଲିକ । ଏହି ଗାଡି ଗୁଡିକୁ ସିଧା କୋର୍ଟ ପଠାଇ ଦେବ ପୁଲିସ । ଗାଡିକୁ ମୁକାଳିବା ପାଇଁ ମାଲିକଙ୍କୁ ଏବେ କୋର୍ଟର ଚକ୍କର କାଟିବାକୁ ପଡିବ । ଗାଡି ସହ ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ଖାରଜ ନେଇ ମଧ୍ୟ କୋର୍ଟକୁ ପୁଲିସ ପକ୍ଷରୁ ଖୁବଶୀଘ୍ର ଚିଠି ଲେଖାଯିବ ।

ମଦ ନିଶାରେ ବେପରୁଆ ଗାଡି ଚଳାଇବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ତେଣୁ ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ରାତି ସମୟରେ ସାରା ସହରକୁ ସିଲ କରି ଚେକିଂ କରାଯାଉଛି ।