୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏନସିପି ନେତା ଫେରିପାଇଲେ ସାଂସଦ ପଦ, ରାହୁଲ ଆପଣାଇବେ କି ମହମ୍ମଦଙ୍କ ପଥ

1,823

କନକ ବ୍ୟୁରୋ : ଦେଶ ରାଜନୀତିରେ ଏବେ ରାହୁଲଙ୍କ ସାଂସଦ ପଦ ଅଯୋଗ୍ୟ ଘୋଷଣା ହେବା ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲଙ୍କୁ ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ତରଫରୁ ତାଙ୍କର ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରାଯାଇଛି । ହେଲେ ରାହୁଲ ଗାନ୍ଧୀ ଏହାକୁ ଗମ୍ଭୀରତାର ସହ ନନେଇ ଦେଶର ସମସ୍ୟା ଓ ମୋଦୀ ଏବଂ ଆଦାନୀଙ୍କ ମଧ୍ୟରେ ଥିବା ସଂପର୍କକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ହେଲେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏନସିପିର ଅନ୍ୟଜଣେ ଅଯୋଗ୍ୟ ଘୋଷିତ ସାଂସଦ ମହମ୍ମଦ ଫୈଜଲଙ୍କ ସଭ୍ୟପଦ ଫେରାଇଦେବା ପରେ ରାହୁଲ ଗାନ୍ଧୀଙ୍କ ପାଇଁ ଆଶା ସଂଚାର ହୋଇଛି ।

ସୂଚନା ମୁତାବକ ଲାକ୍ଷାଦୀପରେ ଏନସିପିର ସାଂସଦ ଥିବା ମହମ୍ମଦ ଫୈଜଲ ମାତ୍ର କିଛିଦିନ ତଳେ ତାଙ୍କର ଲୋକସଭା ସାଂସଦ ପଦ ହରାଇଥିଲେ । ଏହାପରେ ସେ ସୁପ୍ରିମକୋର୍ଟରେ ଏନେଇ ଅଭିଯୋଗ କରିଥିଲେ । ହେଲେ ତାଙ୍କ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବା ପୂର୍ବରୁ ଲୋକସଭା ସଚିବାଳୟ ତରଫରୁ ମହମ୍ମଦଙ୍କ ସାଂସଦ ପଦ ଉପରେ ନିଆଯାଇଥିବରା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି ।

ମହମ୍ମଦ ଫୈଜଲ ଏକ ହତ୍ୟା ପାଇଁ ଯୋଜନା କରିଥିବା ଅଭିଯୋଗରେ ଜାନୁଆରୀ ୧୧ ତାରିଖରେ କୋର୍ଟ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହାର ଦୁଇଦିନ ପରେ ଲୋକସଭା ସଚିବାଳୟ ତରଫରୁ ତାଙ୍କର ସାଂସଦ ପଦ ରଦ୍ଦ କରାଯାଇଥିଲା । ମହମ୍ମଦଙ୍କୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମାତ୍ର ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଣୁ ଆଶା କରାଯାଉଛି କି, ରାହୁଲ ଗାନ୍ଧୀ ମହମ୍ମଦ ଫୈଜଲଙ୍କ ରାସ୍ତା ଆପଣାଇ ପୁଣି ଲୋକସଭା ସଦସ୍ୟ ପଦ ଫେରିପାଇପାରନ୍ତି ।