ଏପ୍ରିଲ ୧ରୁ ୟୁପିଆଇ ପେମେଣ୍ଟ ହୋଇପାରେ ମହଙ୍ଗା । ୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଅତିରିକ୍ତ ଚାର୍ଜ

397

କନକ ବ୍ୟୁରୋ: ଆପଣ ଯଦି ଅନଲାଇନରେ ଟଙ୍କା ଦେବାନେବା କରୁଛନ୍ତି । ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ଟଙ୍କା ପଠାଉଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ଏପ୍ରିଲ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ୟୁପିଆଇ ପେମେଣ୍ଟ । ଏଣିକି ଆଉ ମାଗଣା ନୁହେଁ ବରଂ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ ।

ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ଏହି ସର୍କୁଲାରେ ଏପ୍ରିଲ ୧ ତାରିଖରୁ ୟୁପିଆଇ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗୁ କରିବାକୁ ସୁପାରିଶ କରାଯାଇଛି । ତେବେ ଏହି ପିପିଆଇ ଚାର୍ଜ ହେଉଛି ଏକପ୍ରକାରର ଅତିରିକ୍ତ ଚାର୍ଜ । ଯାହା ଏବେ ୟୁଜର୍ସମାନଙ୍କୁ ୟୁପିଆଇ ପେମେଣ୍ଟ ବେଳେ ଦେବାକୁ ପଡିବ ।
ଜାରି କରାଯାଇଥିବା ସର୍କୁଲାର ମୁତାବକ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ ପିପିିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି । କେବଳ ୨ ହଜାର ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଏହି ପିପିଆଇ ଚାର୍ଜ ଲାଗୁ ହେବ । ତେଣୁ ସରଳ ଭାଷାରେ କହିବାକୁ ଗଲେ, ଆପଣ ଯଦି ଏପ୍ରିଲ ୧ ତାରିଖ ପରେ ୨ ହଜାର ଟଙ୍କାରୁ ଅଧିକ ଟଙ୍କାର କୌଣସି ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୧.୧ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିପାରେ ।

ବର୍ତମାନ ସମୟରେ ହେଉଥିବା ୟୁପିଆଇ ପେମେଣ୍ଟର ଅଧିକାଂଶ ନେଣଦେଣ ଦୁଇ ହଜାର ଟଙ୍କାରୁ ଉପରେ ରହୁଛି । ପାଖାପାଖି ୭୦ ପ୍ରତିଶତ ଟ୍ରାଞ୍ଜାକ୍ସନ ୨ ହଜାର ଟଙ୍କାରୁ ଅଧିକ ଥିବାରୁ, ଏହା ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି ନ୍ୟାସନାଲ ପେମେଣ୍ଟ କୋର୍ପରେସନ୍ ଅଫ୍ ଇଣ୍ଡିଆ ।

ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ବର୍ତମାନ ୟୁପିଆଇ ପେମେଣ୍ଟ କଲେ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡୁନି । ହେଲେ ଗତ କିଛି ବର୍ଷ ଧରି ଏହି କମ୍ପାନୀମାନେ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଦାବି କରିଆସୁଥିଲେ । ପିପିଆଇ ଚାର୍ଜ ନ ଲାଗିଲେ, କମ୍ପାନୀମାନଙ୍କର ରାଜସ୍ୱ ହାନି ହେଉଥିବା ସେମାନେ ଅଭିଯୋଗ କରିଥିଲେ । ତେଣୁ ଏପ୍ରିଲ ୧ ତାରିଖରୁ ୟୁପିଆଇ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗିବା ଖବର ପେମେଣ୍ଟ କମ୍ପାନୀଙ୍କ ପାଇଁ ଏକ ଆଶ୍ୱସ୍ତି ଆଣିଛି ।