ମୋଦୀଙ୍କ ମେଗା ରୋଜଗାର ମେଳା। ୭୫ ହଜାର ନବନିଯୁକ୍ତଙ୍କୁ ଦେଶର ୫୦ଟି ସ୍ଥାନରେ ବଣ୍ଟାଗଲା ନିଯୁକ୍ତିପତ୍ର ।

281

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବଟମ ଦବାଇ ‘ରୋଜଗାର ମେଳା’ର ଶୁଭାରମ୍ଭ କରୁଥିଲେ, ସେତେବେଳେ ଦେଶର ଇତିହାସରେ ଯୋଡି ହୋଇଥିଲା ଆଉ ଏକ ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୭୫ ହଜାରଯୁବକଯୁବତୀଙ୍କୁ ସରକାରୀ ଚାକିରୀ ଦେଇଥିଲେ କେନ୍ଦ୍ର ସରକାର ।

ବର୍ଷକୁ ୨କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କଥା ରଖି ପାରିନଥିଲେ ବି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ବଡ ଅଭିଯାନ ଆରମ୍ଭ କରିଛନ୍ତି । ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରୋଜଗାର, ସ୍ୱରୋଜଗାର ପାଇଁ ୮ବର୍ଷ ହେଲା ଯେଉଁ ଅଭିଯାନ ଚାଲୁଛି ସେଥିରେ ଏକ ବଡ ଅଭିଯାନ ଯୋଡି ହୋଇଛି । ରୋଜଗାର ମେଳା ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଉଛି । ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିି ସୁଯୋଗ ସୃଷ୍ଟି କରାଯାଇଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ବିଗତ ଶହେ ବର୍ଷରେ ହୋଇଥିବା କ୍ଷତିକୁ କେବଳ ଶହେ ଦିନ ଭିତରେ ପୂରଣ କରାଯାଇପାରିବ ନାହିଁ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ପ୍ରଥମ ପର୍ଯ୍ୟାୟର ଦେଶରେ ୭୫ ହଜାର ୨ଶହ ୨୬ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଓ ସାଂସଦମାନେ ଦେଶର ୫୦ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ନବନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତିି । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ୨୩୯ଜଣଙ୍କୁ ନିଯୁକ୍ତି ପତ୍ର ବାଂଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡଙ୍ଗୀ । ସେହିପରି କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ନବ ନିଯୁକ୍ତ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।

ଯେଉଁ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିଛି ସେମାନେ କେନ୍ଦ୍ର ସରକାରଙ୍କ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି । ତେବେ ପ୍ରତିବର୍ଷ ଏହିଭଳି ନିଯୁକ୍ତିି ଦେବାକୁ ଚାକିରୀ ଆଶାୟୀମାନେ କହିଛନ୍ତି ।

ଏହି ଅଭିଯାନ ଜରିଆରେ ମୋଦୀ ସରକାର ଦେଢ଼ ବର୍ଷରେ ୧୦ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷକରି କେନ୍ଦ୍ରସରକାରଙ୍କ ୩୮ଟି ମନ୍ତ୍ରାଳୟ ଓ ବିଭାଗ ଅଧିନରେ ଖାଲି ପଡିଥିବା ପଦବୀରେ ଏହି ନିଯୁକ୍ତି ଦେବାକୁ ଯୋଜନା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ରୋଜଗାର ମେଳାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ରୋଜଗାର ମେଳାକୁ ନାଟକବାଜି କହି କଟାକ୍ଷ କରିଛନ୍ତି । ଆଉ ବର୍ଷକୁ ୨କୋଟି ହିସାବରେ ୧୬କୋଟି ଚାକିରୀ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ।