ମେଘାଳୟରେ ମୋଦୀଙ୍କ ପ୍ରଚାର, ନାଗାଲାଣ୍ଡରେ କଲେ ରୋଡ ଶୋ ।

115

କନକ ବ୍ୟୁରୋ: ମେଘାଳୟ ଓ ନାଗାଲାଣ୍ଡ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ତେବେ ଶେଷ ଦିନ ପୂର୍ବରୁ ଏହି ଦୁଇ ନିର୍ବାଚନୀ ରାଜ୍ୟରେ ପହଞ୍ଚି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ପ୍ରଚାର କରିଥିଲେ । ସେଠାରେ ପାରମ୍ପରିକ ବେଶରେ ନଜର ଆସିଥିଲେ ମୋଦୀ । ନାଗାଲାଣ୍ଡର ଚୁମୁକେଦିମାରେ ରାଲିକୁ ସମ୍ଭୋଧିତ ବେଳେ ବିପକ୍ଷ ଦଳକୁ ଟାର୍ଗେଟ କରି ବର୍ଷିଥିଲେ । ଏଠାରେ ଜନସଭାକୁ ସମ୍ଭୋଧିତ କରି ମୋଦୀ କହିଛନ୍ତି, ରିମୋଟ କଂଟ୍ରୋଲ ଜରିଆରେ ନାଗାଲାଣ୍ଡ ସରକାର ଚଲାଉଥିଲା । ସରକାରଙ୍କ ଟଙ୍କା ଲୋକଙ୍କ ନିକଟରେ ପହଞ୍ଚିବା ପରିବର୍ତେ ଦୁର୍ନୀତିଗ୍ରସ୍ତ ଦଳର ନେତାଙ୍କ ନିିକଟରେ ପହଞ୍ଚୁଥିଲା । ଦିଲ୍ଲୀରୁ ଦିମାପୁର ପର୍ଯ୍ୟନ୍ତ ସେମାନେ ପାରିବାରିକତାକୁ ପ୍ରାଧାନ୍ୟ ବଢାଇଥିଲେ । ହେଲେ ଏବେ ନାଗାଲାଣ୍ଡବାସୀ ବିଜେପି ଉପରେ ଆସ୍ଥା ରଖୁଛନ୍ତି ।

ନାଗାଲାଣ୍ଡରେ ରୋଡ ଶୋ ସାରିବା ପରେ ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂରେ ପହଞ୍ଚିଥିଲେ । ନିର୍ବାଚନୀ ପ୍ରଚାର ମାଧ୍ୟମରେ ଏହି ରାଜ୍ୟରେ ବିଜେପି ନିଜ ଶକ୍ତି ଦେଖାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ବେଳେ ଦୁଇ ପାଶ୍ୱର୍ରେ ହଜାର ହଜାର ଲୋକେ ଏକତ୍ରିତ ହୋଇଥିବା ଏହା ପ୍ରମାଣ କରୁଛି ଯେ, ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ଶିଲଂରେ ଜନସଭାକୁ ସମ୍ଭୋଧିତ କରି ମୋଦୀ କହିଛନ୍ତି, ଶାନ୍ତି ସମୃଦ୍ଧି ଓ ପ୍ରଗତି ହେଉଛି ବିଜେପିର ମୂଳମନ୍ତ୍ର । ଲୋକେ ଏବେ ବିଜେପିକୁ ଭରସା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ମେଘାଳୟରେ ଚାରିଆଡେ ଏବେ ବିଜେପି ଦୃଶ୍ୟମାନ ହେଉଛି । ଗାଁ-ଠୁ ସହର ସବୁଠି ପଦ୍ମଫୁଲ ଫୁଟୁଥିବା ଦେଖାଯାଉଛି । ୬୦ ବିଧାନସଭା ସିଟ୍ ବିଶିଷ୍ଟ ମେଘାଳୟ ଓ ନାଗାଲାଣ୍ଡରେ ଆସନ୍ତା ଫେବୃୟାରୀ ୨୭ ରେ ପଡିବ ଭୋଟ୍ । ମାର୍ଚ୍ଚ ୨ରେ ଏହି ୨ ରାଜ୍ୟ ସମେତ ତ୍ରିପୁରାର ଫଳାଫଳ ପ୍ରକାଶ ପାଇବ ।