ଋଷ- ୟୁକ୍ରେନ ଯୁଦ୍ଧକୁ ପୁରିଲା ଏକ ବର୍ଷ। ପ୍ରଳୟ ଓ ଆତଙ୍କର ଭୟଙ୍କର ଚିତ୍ର ଦେଖିଲା ବିଶ୍ୱ।

111

କନକ ବ୍ୟୁରୋ: ଏକ ବର୍ଷ ତଳେ ଯେତେବେଳେ କିଭ୍ ଦଖଲ ଉଦ୍ଦେଶ୍ୟରେ ବାହାରିଥିଲେ ଶକ୍ତିଶାଳୀ ରୁଷିଆ ସେନା, ସେତେବେଳେ ଲାଗୁଥିଲା ଯେପରି କିଛି ଦିନ ଭିତରେ ଶେଷ ହୋଇଯିବ ଯୁଦ୍ଧ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଭାବିଥିଲେ ସପ୍ତାହେ, ଦଶ ଦିନ ଭିତରେ ୟୁକ୍ରେନ୍କୁ ଦଖଲ କରିନେବେ । ହେଲେ ଆଜି ଯୁୁଦ୍ଧକୁ ୧ ବର୍ଷ ପୂରଣ ହୋଇଛି । ଆଉ ପୁଟିନବାହିନୀ ବିରୋଧରେ ଲଢେଇ ଜାରି ରଖିଛି ୟୁକ୍ରେନ । ଏହି ଏକ ବର୍ଷର ଯୁଦ୍ଧ ଭିତରେ ଭୟଙ୍କର ଚିତ୍ର ଆସିଛି ୟୁକ୍ରେନରୁ । କେତେବେଳେ ଲୋକଙ୍କ ଘର ଉପରେ ତ କେତେବେଳେ ସ୍ତୁଲ, ୟୁନିଭର୍ସିଟି ଉପରେ ମିଜାଇଲ ମାଡ କରିଛି ରୁଷିଆ ସେନା । ଯେଉଁ ସହର ଦେଇଯାଇଛି ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ବୃଦ୍ଧ, ଶିଶୁ ଏପରିକି ଗର୍ଭବତୀ ମହିଳାଙ୍କ ଉପରେ ବି ଅତ୍ୟାଚାର କରିବାର ଚିତ୍ର ସାମ୍ନାକୁ ଆସିଛି । ଯୁଦ୍ଧ ପାଇଁ ଶହ ଶହ ପିଲା ଅନାଥ ହୋଇ ଅନ୍ୟ ଦେଶରେ ଶରଣାର୍ଥୀ ପାଲଟିଛନ୍ତି ।

ରୁଷିଆ- ୟୁକ୍ରେନ ଯୁଦ୍ଧକୁ ବର୍ଷ ପୂରଣ ଅବସରରେ ରାଷ୍ଟ୍ରପତି ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି – ‘୨୦୨୩ରେ ଆମର ବିଜୟ ହେବ । ଯୁଦ୍ଧର ଏକ ବର୍ଷ ଦୁଃଖ, କଷ୍ଟ ସହିବା ସହ ବିଶ୍ୱାସ କରିବା ଶିଖାଇଛି । ୨୪ ଫେବ୍ରୁଆରୀ, ୨୦୨୨ରେ ଆମ ଜୀବନର ସବୁଠୁ କଷ୍ଟଦାୟକ ସମୟ ଆରମ୍ଭ ହୋଇଛି । ରୁଷିଆ କହିଥିଲେ, ଆମେ ୭୨ ଘଣ୍ଟା ବି ଲଢେଇ କରିପାରିବୁ ନାହିଁ । ହେଲେ ଆମେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସାମନା କରୁଛୁ । ହଜାର ହଜାର ଲୋକେ ଦେଶ ପାଇଁ ସହୀଦ ହେଲେ । ମୁଁ ସମସ୍ତ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆମେ ହାରମାନିନୁ, ଏ ବର୍ଷ ଆମେ ସେ ସବୁ କରିବୁ ଯେଉଁଥିରେ ଆମର ବିଜୟ ହେବ ।

ଆମେରିକା ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ଟୁଇଟ୍ କରି ୟୁକ୍ରେନକୁ ନିଜ ସମର୍ଥନ ଜଣାଇଛନ୍ତି । ବାଇଟେନ୍ କହିଛନ୍ତି – ଯୁଦ୍ଧକୁ ଏକ ବର୍ଷ ପୁରିଛି । ରାଷ୍ଟ୍ରପତି ପୁଟିନ୍ ଭାବିଥିଲେ ଖୁବ୍ ସହଜରେ କିଭ୍ ଦଖଲ କରିନେବେ । ତାପରେ ସେ ସାହସ ୟୁକ୍ରେନ ସେନା ଓ ତାଙ୍କ ପରାକ୍ରମ ଦେଖିଲେ ।

ରାଜଧାନୀ ଦିଲ୍ଲୀରେ ଯୁଦ୍ଧର ଏକ ବର୍ଷ ପୂରଣ ହେବା ନେଇ ୟୁରୋପୀୟ ସଂଘର ରାଷ୍ଟ୍ରଦୂତମାନେ ବୈଠକ କରିଥିଲେ । ୟୁରୋପୀୟ ଦେଶର ପ୍ରତିନିଧି ଏବଂ ୟୁକ୍ରେନ ପ୍ରତିନିଧି ସହୀଦଙ୍କ ପାଇଁ ୧ ମିନିଟ୍ ମୌନ ରହି ଶୋକ ଜଣାଇଥିଲେ ।

ସେପଟେ ରୁଷିଆ ମଧ୍ୟ ୟୁଦ୍ଧରେ ୟୁକ୍ରେନ୍କୁ ମାତ୍ ଦେବା ପାଇଁ ପରମାଣୁ ଯୁଦ୍ଧର ଧମକ ଦେଇ ଆସୁଛି । ଆମେରିକା ସହ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ଭାଙ୍ଗି ବିଶ୍ୱବାସୀ ମହାଯୁଦ୍ଧର ଭୟ ଦେଖାଇଛନ୍ତି ପୁଟିନ୍ । ଯୁଦ୍ଧକୁ ନେଇ ଆଗାମୀ ଦିନରେ କଣ ହେବ ପରିସ୍ଥିତି ତାହା ସମୟ କହିବ ।