୨୦୨୪ ନିର୍ବାଚନ ପାଇଁ ଫୋକସରେ ମିଶନ ଶକ୍ତି: ସ୍ୱୟଂସହାୟିକା ମହିଳାଙ୍କୁ ବିନା ସୁଧରେ ଇ-ସ୍କୁଟର ପାଇଁ ମିଳିବ ଲୋନ୍

482

କନକ ବ୍ୟୁରୋ: ୨୦୨୪ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ମିଶନ ଶକ୍ତି ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗାଁ ଗାଁରେ ଇ-ସ୍କୁଟର ବାଂଟିବାକୁ ଘୋଷଣା କରି ମହିଳା ଭୋଟ ହାତେଇବାକୁ ଉଦ୍ୟମ ହୋଇଛି ।

ନିର୍ବାଚନକୁ ଆଉ ବର୍ଷେ ବାକି ରହିଥିବାବେଳେ ଏବେଠୁ ମହିଳା ଭୋଟ ବ୍ୟାଙ୍କକୁ ନଜରରେ ରଖି ମାଷ୍ଟରଷ୍ଟ୍ରୋକ ଖେଳଛି ବିଜେଡି । ଫୋକସରେ ରହିଛି ୭୦ ଲକ୍ଷ ମହିଳା ଭୋଟ । ଏହି ଭୋଟକୁ ଟାର୍ଗେଟ କରି ବଜେଟରେ ମିଶନ ଶକ୍ତି ମହିଳାଙ୍କ ପାଇଁ ଭଣ୍ଡାର ଖୋଲିଛନ୍ତି ରାଜ୍ୟ ସରକାର । ତେଣୁ ବଜେଟରେ ଏଭଳି କିଛି ଘୋଷଣା କରାଯାଇଛି ।

ମିଶନ ଶକ୍ତି ମହିଳାଙ୍କୁ ମିଳିବ ଇ-ସ୍କୁଟର
ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ମହିଳା ହେବେ ଲାଭବାନ
ଯୋଜନା ପାଇଁ ୫୦କୋଟିର ବ୍ୟୟବରାଦ
ବୈଦ୍ୟୁତିକ ସ୍କୁଟର ପାଇଁ ବିନା ସୁଧରେ ଦିଆଯିବ ସହାୟତା

କେବଳ ମିଶନ ଶକ୍ତି ନୁହେଁ ଶିକ୍ଷା ଭଳି କ୍ଷେତ୍ରକୁ ବି ଗୁରତ୍ୱ ଦିଆଯାଇଛି । ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି ।
– ନବମ- ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଂଗିକ ସାମଗ୍ରୀ
– ସହାୟତା ରାଶି ୬ଶହ ବଦଳରେ ଏକ ହଜାର ଟଙ୍କା ମିଳିବ
-ସାଇକେଲ ପାଇଁ ୨୬ ଶହ ବଦଳରେ ମିଳିବ ୩୫ଶହ ଟଙ୍କା

କେନ୍ଦ୍ର ଭଳି ରାଜ୍ୟରେ ବି ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେଡି । ଦଳ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ସମାବେଶ କରିବାକୁ ଲକ୍ଷ୍ୟ ରଖିଛି । ବିଜେଡି କହିଛି, ଏହା ଲୋକଙ୍କ ବଜେଟ ସେପଟେ କେନ୍ଦ୍ର ଯୋଜନାକୁ କପିପେଷ୍ଟ କରାଯାଉଥିବା କହିଛନ୍ତି ବିରୋଧୀ ।
ମିଶନ ଶକ୍ତିରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଓ ଶିକ୍ଷା ଭଳି କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ବଜେଟରେ ନିର୍ବାଚନୀ ଥୋପ ପକାଇବାକୁ ଚାହିଛନ୍ତି । ଆଉ ଏହା ୨୦୨୪ ପାଇଁ ବିଜୟ ପଥ ପରିଷ୍କାର କରିବ ବୋଲି ଆଶା ରଖିଛି ବିଜେଡି ।