ଥମୁନି ଆବାସ କଳି: ହିତାଧିକାରୀ ତାଲିକାକୁ ନେଇ ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚାୟତରେ ତୁମୁଳକାଣ୍ଡ

259

କନକ ବ୍ୟୁରୋ: ବସିଛି ଗ୍ରାମସଭା । ଚାଲିଛି ନେତା-ଜନତା କଥାକଟାକଟି । ଉପସ୍ଥିତ ଅଛନ୍ତି ପ୍ରଶାସନିକ ଅଧିକାରୀ ଓ ପୋଲିସ । କିନ୍ତୁ ବିବାଦ ଏପରି ରୁପ ନେଲା ଯେ ମାରପିଟ ସହିତ ହାତାହାତି ହେବା ପର୍ଯ୍ୟନ୍ତ କଥାଯାଇଛି । ଏମିତି ଦୃଶ୍ୟ ଦେଖିବାକୁ ମିିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଢେରା ପଂଚାୟତ କାର୍ଯ୍ୟାଳୟ ନିକଟରେ । ଏପରିକିି ଲୋକେ ପରସ୍ପରକୁ ଠେଲା ପେଲା କରିବା ସହିତ ଚେୟାର ମଧ୍ୟ ଫୋଫାଡିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ଆଲୋଚନା ଚାଲିଥିଲା । ଯେଉଁମାନଙ୍କ ନାଁ ହିତାଧିକାରୀ ତାଲିକାରେ ଆସିଛି ତାଙ୍କୁ ଏବେ ଘର ମିଳିଯାଉ ବୋଲି କିଛି ଯୁକ୍ତି ରଖିଥିଲେ । ପରେ ଅନ୍ୟ ହିତାଧିକାରୀଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ହେଲେ ଅପରପକ୍ଷ ପୁନର୍ବାର ସମସ୍ତଙ୍କର ଯୋଗ୍ୟତା ତାଲିକା ଯାଂଚ ହେଉ ବୋଲି ଦାବି କରିଥିଲେ । ବାସ ଏହାପରେ ଗାଁରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା । ଏହି ଆକ୍ରମଣରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ଜେନା ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଉଭୟ ପକ୍ଷ ସତ୍ୟବାଦୀ ଥାନାରେ ଏତଲା ଦେଇଛନ୍ତି ।

ଆବାସକୁ ନେଇ ବିଭିନ୍ନ ସ୍ଥାନରେ ବିବାଦର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ହିତାଧିକାରୀ ଚୟନରେ ପ୍ରିୟାପ୍ରୀତି ନୀତି ଆପଣାଯାଇଥିବା ବିରୋଧୀ ଅଭି୍ଯୋଗ କରିଛନ୍ତି । ସେପଟେ କୌଣସି ପକ୍ଷପାତିତା ହୋଇନି ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୃହରେ କହିଛନ୍ତି । ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ବେଳେ ଏହି କଥାକଟାକଟି ହୋଇଛି । ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୧୨ ଲକ୍ଷ ୨୪ ହଜାର ୭୨୬ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ସେମାନଙ୍କୁ ପିଏମ ଆବାସ ଗୃହ ମଂଜୁର ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିବା ବେଳେ କେନ୍ଦ୍ର ସରକାର ୯ଲକ୍ଷ ୫୯ ହଜାର ୫୧୮ଟି ଆବାସ ମଂଜୁର କରିଛନ୍ତି । ଆବାସ ବଂଟନରେ ରାଜ୍ୟ ସରକାର ପୁରା ସ୍ୱଚ୍ଛ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି । ୧ଲକ୍ଷ ୮ହଜାର ୨୪୩ଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ତଦନ୍ତରେ ୫୦ ହଜାର ୭୬୩ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

୨୦୨୩ ସୁଦ୍ଧା ପ୍ରତ୍ୟେକ ଗରିବ ମୁଣ୍ଡକୁ ଛାତ ମିଳିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରେ କିନ୍ତୁ ଏହି ଅବଧି ଆଉ ବର୍ଷେ ବଢିଛି । ହେଲେ ଏବେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଝାଟିମାଟି ଘରେ ରହୁଥିବାର ଚିତ୍ର ପ୍ରତିଦିନ ଦେଖିବାକୁ ମିଳୁଛି । ତେଣୁ ମୋଦୀଙ୍କ ସ୍ୱପ୍ନ କେବେ ପୂରଣ ହେବ ତାହା ଏବେ ପ୍ରଶ୍ନବାଚୀ ।