୨୦୨୪ ପାଇଁ ବଦଳିଲା ବିଜେପିର ଟାର୍ଗେଟ । ସରକାର ଗଢିବାକୁ ମିଶନ ୮୦+ ଲକ୍ଷ୍ୟ ନେଇ ଦଳ ଆଗକୁ ବଢୁଥିବା କହିଲେ ବିଧାୟକ ।

780

କନକ ବ୍ୟୁରୋ : ୨୪ ପାଇଁ ଟାର୍ଗେଟ ବଦଳାଇଲା ବିଜେପି । ଗତଥର ମିଶନ ୧୨୦ର ନାରା ଦେଇଥିବା ବିଜେପି ୨୦୨୪ ପାଇଁ ଟାର୍ଗେଟ ରଖିଛି ୮୦+ । ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ଠାରୁ ଆଉ କିଛି ଅଧିକ ଆସନର ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଥିବା କହିଛନ୍ତି ବିଧାୟକ ବୁଦ୍ଧାନ ମୁର୍ମୁ ।

ବୁଦ୍ଧାନ କହିଛନ୍ତି, ଆସନ୍ତା ୨୦୨୪ ନିର୍ବାଚନ ଲାଗି ବିଜେପିର ଯୋଜନା ଆରମ୍ଭ ହୋଇସାରିଲାଣି । ବିଜେପି ସୁନିଶ୍ଚିତ ଓଡିଶାରେ ସରକାର କରିବ । ଆମ ଟାର୍ଗେଟ ୮୦ ବିଧାୟକ, ସରକାର କରିବା ପାଇଁ ଯେତିକି ସିଟ ଦରକାର ଆମେ ତା ଠାରୁ ୧୦ରୁ ୧୫ଟି ସିଟ ଅଧିକ ଟାର୍ଗେଟ ରଖି ଚାଲିଛୁ । ଆମ ଟାର୍ଗେଟ ୮୦+ ଯେମିତି ସରକାର ହୋଇପାରିବ । ସରକାର କରିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଗତଥର ମିଶନ ୧୨୦ ଥିବା ବେଳେ ଏଥର କାହିଁକି ୮୦ ପ୍ଲସକୁ ଖସିଆସିଲା ପ୍ରଶ୍ନର ଉତ୍ତରରେ ବୁଦ୍ଧାନ କହିଛନ୍ତି, ୧୨୦କୁ ବେସ କରିକି କାମ କରାଯିବ କିନ୍ତୁ ସରକାର କରିବା ପାଇଁ ଆମକୁ ଯେତିକି ଦରକାର ତାଠୁ ଅଧିକ ସିଟ ଆମର ଟାର୍ଗେଟ ରହିବ । ଲୋକସଭା ସିଟରେ ଆମକୁ ୧୮ ଟାରେ ଜିତିବାର ସମ୍ଭାବନା ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ମିଳିତ ଭାବେ ଏଭଳି ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ବୁଦ୍ଧାନ ।