ଏନସିବି ଓ ସିବିଆଇ ଅଧିକାରୀ କହି ଦେଖାଉଥିଲେ ଭୟ । ପାର୍ସଲରେ ଡ୍ରଗ୍ସ ପ୍ୟାକେଟ ଥିବା ନେଇ କରୁଥିଲେ ଫୋନ

91

କନକ ବ୍ୟୁରୋ : ରଜତ କେତେବେଳେ ନିଜକୁ ଏନସିବି ଅଧିକାରି ତ ଆଉ କେତେବେଳେ ସିବିଆଇ ଓ ଇଡି ଅଧିକାରୀ କହି ଲୋକଙ୍କୁ ନିଜ ଜାଲରେ ଫସାଇ କୋଟି କୋଟି ଟଙ୍କା ଠକିଛନ୍ତି । କେବଳ ରଜତ ନୁହନ୍ତି, ତାଙ୍କ ସହ କାମ କରୁଥିଲା ଏକ ବଡ ଗ୍ୟାଙ୍ଗ । ଭିନ୍ନ ଭିନ୍ନ ମାଧ୍ୟମରେ ଗିରଫ କରିବାର ଭୟ ଦେଖାଇ ଏମାନେ ଲୋକଙ୍କଠାରୁ ଲୁଟି ନେଉଥିଲେ ଟଙ୍କା । ଭୁବନେଶ୍ୱରର ଜଣେ ମହିଳା ଏହି ଠକ ଗ୍ୟାଙ୍ଗର ଠକାମିର ଶିକାର ହେବାପରେ ଅର୍ଥନୈତିକ ଅପରାଧ ଶାଖାରେ ଏନେଇ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରିବା ପରେ ପୁରା ଘଟଣା ସାମନାକୁ ଆସିଛି ।

୨୦୨୩ ଜୁନ ୧୯ ତାରିଖରେ ଭୁବନେଶ୍ୱରର ରତ୍ନା ତ୍ରିପାଠିଙ୍କ ନିକଟକୁ ଏକ କୋରିଅର କମ୍ପାନିରୁ ଏକ ଫୋନ କଲ୍ ଆସିଥିଲା । କଲ କରୁଥିବା ବ୍ୟକ୍ତି ରତ୍ନାଙ୍କ ନାଁ ରେ ଏକ ପାର୍ଶଲ ଥିବା କଥା କହିଥିଲେ । ଏହାପରେ ଫୋନ କଲ ବେଳେ ସଂପୃକ୍ତ ବ୍ୟକ୍ତି କହିଥିଲେ–

-ପାର୍ସଲରେ ପାସପୋର୍ଟ, ଲ୍ୟାପଟପ ଓ ଡ୍ରଗ୍ସ ପ୍ୟାକେଟ ଅଛି-
-ତୁରନ୍ତ ଆସି ନାରକୋଟିକ୍ସ ଅଧିକାରୀଙ୍କ ସହ ଦେଖା ନ କଲେ ଡଗ୍ସ ସ୍ମଗଲିଂ ଓ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯିବ
– ଦେଖା କରିନପାରିଲେ ଆକାଉଂଟ ନମ୍ବରରେ ଦେଢ ଲକ୍ଷ ଟଙ୍କା ପଠାନ୍ତୁ
-ଯାଂଚରେ ଅଧିକାରି ସନ୍ତୁଷ୍ଟ ହେଲେ ଟଙ୍କା ଫେରାଇ ଦିଆଯିବ, କାର୍ଯ୍ୟାନୁଷ୍ଠାନ ହେବ ନାହିଁ
ଏହି ଗ୍ୟାଙ୍କ ଏଭଳି ଭାବେ ଉକ୍ତ ମହିଳା ଜଣଙ୍କୁ ଭୟଭିତ କରିଥିଲେ ଯେ ସେ ଦେଢ ଲକ୍ଷ ଟଙ୍କା ଏହି ଠକଙ୍କ ଆକାଉଂଟକୁ ପଠାଇ ଦେଇଥିଲେ । ଟଙ୍କା ପାଇବା ପରେ ଆଉ କେହି ଧରାଛୁଆଁ ଦେଇନଥିଲେ ।

ଅଭିଯୁକ୍ତ ରଜତ କୁମାରଙ୍କୁ ହିମାଚଳପ୍ରଦେଶରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ଟିମ । ସାରା ଦେଶରେ ବିଭିନ୍ନ ଲୋକଙ୍କ ଠାରୁ ରଜତ ଓ ଗ୍ୟାଙ୍ଗ ପାଖାପାଖି ୬ କୋଟି ଟଙ୍କା ଠକିଥିବା ଜାଣିବାକୁ ପାଇଛି ଇଓଡବ୍ଲୁ । ଠକେଇରେ ବ୍ୟବହୃତ ୧୭ ଟି ବ୍ୟାଙ୍କ ଆକାଉଂଟକୁ ଫ୍ରିଜ କରାଯାଇଥିବା ବେଳେ ଠକାମିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଜାଲ ବିଛାଯାଇଛି ।