କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା ପ୍ରସଙ୍ଗ । ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ ସାରଦା ନାୟକ

170

କନକ ବ୍ୟୁରୋ : ମନ୍ତ୍ରୀଙ୍କ ତିନୋଟି ରୂପ । ତିନୋଟି ଭିଡିଓ ତିନୋଟି କାହାଣୀ । ଗୋଟିଏ ଦୃଶ୍ୟରେ ମନ୍ତ୍ରୀ ଡନ୍ ଗୀତରେ ନାଚୁଛନ୍ତି । ଆଉ ଗୋଟିଏ ଦୃଶ୍ୟରେ ମନ୍ତ୍ରୀ ଟଙ୍କା ଉଡାଉଛନ୍ତି । ଆଉ ତୃତୀୟ ଦୃଶ୍ୟରେ ସ୍ୱାସ୍ଥ୍ୟକର୍ମୀ କରୁଥିବା କାମ କରୁଛନ୍ତି । ମନ୍ତ୍ରୀଙ୍କ ସଉକ୍୍ ସତରେ ମାନିବାକୁ ପଡ଼ିବ । ରକ୍ତ ଦାନ ଶିବିରରେ କେତେବେଳେ ଡାକ୍ତରଙ୍କ ଭଳି ବିପି ଯାଂଚ କରୁଛନ୍ତି । ଆଉ କେତେବେଳେ ରକ୍ତ ପରୀକ୍ଷା ପାଇଁ ଛୁଂଚି ଫୋଡୁଛନ୍ତି । ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାୟକ । କିଛି ଦିନ ତଳେ ଷ୍ଟେଜ ଉପରେ ମେଁ ହୁଁ ଡନ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ଏବେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ମନ୍ତ୍ରୀ ସାରଦା ନାୟକ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କେତେ ବେଳେ ମନ୍ତ୍ରୀ ୫ଶହ ଟଙ୍କିଆ ବିଡା ଉଡାଉ ଥାନ୍ତି, ପୁଣି କେତେ ବେଳେ ବିଡାରୁ ନୋଟ କାଢି ଗୋଟିଏ ପରେ ଗୋଟିଏ ଗାୟକଙ୍କ ହାତକୁ ବଢାଇ ଦେଉଥାନ୍ତି ।

ସୁନ୍ଦରଗଡ ହୋଟେଲ ଜେଡିଆର ଠାରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ମୁସଲିମ ୟୁଥ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରୁଥିଲେ ରାଇସ ଅନିସ ସାବରୀ । ସୋସିଆଲ ମିଡିଆରେ ସେନସେସନ ପାଲିଟଥିବା ସାଁପ ଡସେ ତୋ ଦୋସ୍ତ ବଚାଏ । ଦୋସ୍ତ ଡସେ ତୋ କୌନ ବଚାଏ ଗୀତରେ ଉଡିଥିଲା ପୂଳାପୂଳା ଟଙ୍କା । କିଏ ୫୦୦ ଟଙ୍କିଆ ତ ଆଉ କିଏ ଶହେ, କିଏ ୨୦୦ ଟଙ୍କିଆ ନୋଟ ପୁଣି କେହି କେହି ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଉଡାଉଥିଲେ । ଏପରି କି ମନ୍ତ୍ରୀ ସାରଦା ନାୟକ ମଧ୍ୟ ପଛରେ ନଥିଲେ । ସେ ମଧ୍ୟ ଟଙ୍କା ଉଡାଇଥିଲେ । କେତେ ବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡାଉଥିଲେ ତ କେତେ ବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ । ପୂର୍ବରୁ ମେଁ ହୁଁ ଡନ ଗୀତରେ ମଂଚ ଉପରେ ନାଚି ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ଏବେ ନୋଟ ଉଡାଇ ଚର୍ଚ୍ଚାକୁ ଆସିଛନ୍ତି । ଆଉ ଏବେ ଡାକ୍ତର ବେଶରେ ନଜର ଆସିଛନ୍ତି ।

କୱାଲୀ ଗୀତରେ ଟଙ୍କା ଉଡ଼ାଇବା ଘଟଣାରେ ସଫେଇ ରଖିଛନ୍ତି ମନ୍ତ୍ରୀ ଶାରଦା ନାୟକ । କହିଛନ୍ତି, କୱାଲୀ ଗାୟକଙ୍କୁ ସମ୍ମାନିତ କରିବା ପାଇଁ ଜଣେ ଦର୍ଶକ ଭାବେ ମୁଁ ସେଠାକୁ ଯାଇଥିଲି । ସେଠାରେ କୱାଲି ଗାୟକ ଜଣକ, ଭାରତକୁ ବିଶ୍ୱକପ୍ ଜିତିବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଯେଉଁ ଟଙ୍କା ଉଡ଼ିଛି, ତାହା ମୋ ପକେଟ୍ରୁ ଯାଇନାହିଁ କି ତାହା କଳାଧନ ନୁହେଁ । ତେଣୁ ଯେଉଁମାନେ ଏହାକୁ ଟଙ୍କା ଉଡ଼ାଇବା କଥା କହୁଛନ୍ତି, ତାହା ହାସ୍ୟାସ୍ପଦ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ରକ୍ତଦାନ ଶିବିର ଏବଂ ଡନ୍ ଗୀତରେ ନାଚିବା ପ୍ରସଙ୍ଗରେ ମଧ୍ୟ ସଫେଇ କରିଛନ୍ତି ଶାରଦା ନାୟକ ।