ଆକାଶରୁ ଖସିଲା ଲୁହା ଖଣ୍ଡ: ରହସ୍ୟମୟ ବସ୍ତୁକୁ ନେଇ ଲୋକେ ଭୟଭୀତ, ସାଟେଲାଇଟର ଅଂଶ ହୋଇଥିବା ସନ୍ଦେହ

458

କନକ ବ୍ୟୁରୋ: ଆକାଶରୁ ଖସିଲା ସିଲିଣ୍ଡର, ଆଉ ଲୁହା ଖଣ୍ଡ । ଏଭଳି ରହସ୍ୟମୟ ବସ୍ତୁକୁ ନେଇ ଲୋକେ ଭୟଭୀତ ହୋଇଛନ୍ତି । ଏହି ସବୁ ବସ୍ତୁ ସାଟେଲାଇଟର ଅଂଶ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ସିନ୍ଦବାହି ଅଞ୍ଚଳରେ । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ତେବେ ଏହା କଣ? କେଉଁଠୁ ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଅନେକ ଲୋକ ଅନେକ ମତ ରଖୁଛନ୍ତି ।

ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କିଛି ସ୍ଥାନରେ ଆକାଶରେ କିଛି ଜଳୁଥିବା ବସ୍ତୁ ଦେଖିଥିଲେ । ଏହି ବସ୍ତୁ ଆକାଶରୁ ଭୁପୃଷ୍ଠକୁ ଖସୁଥିବାର ନଜର ଆସିଥିଲା । ଏହାପରେ ରାତି ସାଢେ ୮ରେ ସିନ୍ଦବାହୀ ତହସିଲର ଲାଡବୋରୀ ଗାଁରେ କିଛି ରହସ୍ୟମୟ ବସ୍ତୁ ପଡିଥିବାର ଲୋକମାନେ ଦେଖିଥିଲେ । ଏକ ବଡ ୧୦ ଫୁଟର ରିଙ୍ଗ ଆକାରର ଏହି ବସ୍ତୁ । ଏହାର ଓଜନ ପାଖାପାଖି ୩୦୦ରୁ ୪୦୦ କେଜି ହେବ ବୋଲି କୁହାଯାଉଛି । ଏହା ମେଟାଲରେ ତିଆରି ଏକ ରିଙ୍ଗ । ଏହା ପଡିବା ସମୟରେ ଉତ୍ତପ୍ତ ଥିବା ସ୍ଥାନୀୟ ଲୋକ କହିଥିଲେ ।

ତହସିଲଦାରଙ୍କ କହିବାନୁସାରେ ସେହି ତହସିଲର ପବନପାର ଗାଁରେ ରବିବାର ସକାଳୁ ଏକ ଗୋଲ ଆକୃତିର ସିଲିଣ୍ଡର ପଡିଥିଲା । ଯାହାକୁ ପରୀକ୍ଷଣ ପାଇଁ ରଖାଯାଇଛି । ସେହିପରି ଏହି ଅଞ୍ଚଳରେ ଆଉ କେଉଁଠି ଏଭଳି ବସ୍ତୁ ପଡିଛି କି ନାହିଁ ତାହା ଜାଣିବା ପାଇଁ ସବୁ ଗାଁକୁ ଏକ ଟିମ ପଠାଯାଇଛି । ତେବେ ଏହି ବସ୍ତୁ କେଉଁଠୁ ଆସିଲା ତାହାର ସ୍ପଷ୍ଟ ଖବର ସାମ୍ନାକୁ ଆସିପାରିନାହିଁ ।

ସେପଟେ ଏହି ଲୁହା ଖଣ୍ଡକୁ ନେଇ ଅନେକ ଲୋକ ଅନେକ ଦାବି କରିଛନ୍ତି । କିଛି ଲୋକ ଏହାକୁ ସାଟେଲାଇଟର ଅଂଶବିଶେଷ କହୁଛନ୍ତି । ସେହିପରି ଚନ୍ଦ୍ରପୁର ସ୍କାଇ ବ୍ରାଞ୍ଚ ଗ୍ରୁପର ଅଧ୍ୟକ୍ଷ ପ୍ରଫେସର ସୁରେଶ ଚୋପନେ କହିଛନ୍ତି ଶନିବାର ସନ୍ଧ୍ୟା ୬ଟା ୧୧ମିନିଟରେ ନ୍ୟୁଜିଲାଣ୍ଡର ମହିୟା ଦ୍ୱିପରୁ ଏକ ଇଲୋକ୍ଟ୍ରନ ରକେଟ ଲଞ୍ଚ କରାଯାଇଥିଲା । ତେବେ ଏହି ବସ୍ତୁ ସେହି ରକେଟର ଅଂଶ ହୋଇଥାଇପାରେ ବୋଲି ସେ ଦାବି କରୁଛନ୍ତି ।

ଗତ ବର୍ଷ ମଧ୍ୟ ଚୀନର ଏକ ରକେଟର ଅଂଶ ବିଶେଷ ନ୍ୟୁଜିଲାଣ୍ଡରେ ପଡିଥିଲା । ଯାହାକୁ ଅନ୍ତରାଷ୍ଟ୍ରିୟ ସ୍ତରରେ ଅନେକ ବିରୋଧ ହୋଇଥିଲା । ତେବେ ଏକ ଗାଁରେ ଏଭଳି ରହସ୍ୟମୟ ବସ୍ତୁ ପଡିବା କୌଣସି ସାଧାରଣ କଥା ନୁହେଁ । ଏସବୁ ବସ୍ତୁକୁ ସ୍ଥାନୀୟ ପ୍ରଶାସନ ପରୀକ୍ଷା ପାଇଁ ପଠାଇଛି । ତେବେ ପରୀକ୍ଷା ପରେ ହିଁ ଜଣାପଡିବ ଏହା ରକେଟର ଅଂଶବିଷେଶ ନା ନୁହେଁ? ଏହି ବସ୍ତୁ ଗୁଡିକ କେଉଁ ଦେଶରୁ କେମିତି ଆସିଲା?