ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ବାଧକ ସାଜିଛି ଅଣଓସାରିଆ ପୋଲ, ଚଣ୍ଡିଖୋଲ ଡ୍ରେନେଜ ଡିଭିଜନର ଠିକାଦାର ତୋଷଣ ନୀତିକୁ ନେଇ ଲୋକେ ଅସନ୍ତୁଷ୍ଟ ।

61

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ରାସ୍ତାରେ ବାଧକ ସାଜିଛି ଅଣଓସାରିଆ ପୋଲ । ସାମ୍ନାକୁ ଆସିଲା ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଡ୍ରେନେଜ ଡିଭିଜନର ଠିକାଦାର ତୋଷଣ ନୀତିର ପ୍ରମାଣ । ସମସ୍ୟା ସମାଧାନ ନେଇ ଜାରକା  ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ ବିଭାଗ ମଧ୍ୟରେ ତାଳମେଳ ନଥିବାରୁ  ସ୍ଥାନୀୟ ଅଂଚଳରେ ବଢୁଛି ଅସନ୍ତୋଷ ।

ଉନ୍ନତମାନର ରାସ୍ତାରେ ବାଧକ ସାଜିଛି ଅଣଓସାରିଆ ପୋଲ । ସାମ୍ନାକୁ ଆସିଲା ଗ୍ରାମ୍ୟ ଉନ୍ନୟନ ଓ ଡ୍ରେନେଜ ବିଭାଗର ଅପାରଗତା । ଯାଜପୁର ଧର୍ମଶାଳା ବ୍ଲକର କାନପୁର ଠାରୁ ଭୁବନପୁରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ତିଆରି ହୋଇଥିବା ନୂଆ ରାସ୍ତା ।  ୨୦୧୭-୧୮ ଆର୍ଥିକ ବର୍ଷରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାନପୁର-ଭୁବନପୁର ପାଟ ମଧ୍ୟରେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କରାଯାଇଥିଲା । ପ୍ରାୟ ୯କୋଟି ବ୍ୟୟରେ ଏହି ରାସ୍ତାଟି ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ହେଲେ ଏହି ରାସ୍ତାରେ ନିର୍ମାଣ କରାଯାଇଥିବା ଅଣଓସାରିଆ ପୋଲ ଏବେ ସମସ୍ୟା ସୃଷ୍ଟି କରୁଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଦେଖାଦେଇଛି ଅସନ୍ତୋଷ ।

ରାସ୍ତାଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଧର୍ମଶାଳା ବ୍ଲକ ସଦର ମହକୁମା ସହିତ ଗଡମଧୁପୁର, ମହିସରା, ସାହାଣୀଡିହ, ଚକ୍ରଧରପୁର, ବଉଳମାଳ ଆଦି ପଂଚାୟତର ଲୋକେ ସିଧାସଳଖ ଉପକୃତ ହେବେ । ଏହା ଛଡା ସହ ଥାନୁଆଳ, ଗଙ୍ଗାଧରପୁର, ଜାରକା ପ୍ରଭୃତି ପଂଚାୟତର ଲୋକେ ଢେଙ୍କାନାଳକୁ ଏହି ରାସ୍ତା ଦେଇ ଯାତାୟତ କରିପାରିବେ  । ହେଲେ ଡ୍ରେନେଜ ଡିଭିଜନର ଅଦୂରଦର୍ଶି ମନୋଭାବ ଏବେ ଏହି ରାସ୍ତାରେ ଗମନାଗମନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି  । କେଉଁ ଉଦ୍ଦେଶ୍ୟ ରଖି ଏଭଳି ପୋଲ ତିଆରି କରାଯାଇଛି ତାହା ଏବେ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ପୋଲକୁ ଅଧିକ ଓସାର କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡ୍ରେନେଜ ଡିଭିଜନକୁ ବହୁବାର ଚିଠି ଲେଖାଯାଇôଥିଲେ ମଧ୍ୟ ଫଳ ଶୂନ୍ୟ । ଏପରି ସ୍ଥଳେ ସରକାର ସମସ୍ୟାର ସମାଧାନ କରିପାରିଲେ ବହୁ ଲୋକ ଉପକୃତ ହୋଇପାରିବେ ।