୪୫ ପୁରୁଷଙ୍କ ମଧ୍ୟରେ ଏକା ମହିଳା କୁଲି ନଂ-୩୬ । କହିଲେ, ସମ୍ମାନର ସହ ବଞ୍ଚିଛି, ଇଜ୍ଜତ ସହକାରେ ରୋଜଗାର କରୁଛି

196

କନକ ବ୍ୟୁରୋ : କିଏ କହେ ମୁଁ ପରିସ୍ଥିିତିରେ ପଡି ଚୋରି କରୁଛି ତ କିଏ କହେ ମୁଁ ପରିସ୍ଥିତିକୁ ସମ୍ଭାଳିନେବାକୁ ଏହି ଖରାପ ବୃତ୍ତିକୁ ଆପଣାଇ ନେଇଛି । କେହି କେହି ତ ପରିସ୍ଥିତିର ଦ୍ୱାହୀ ଦେଇ ହତ୍ୟା ଭଳି ସଂଗୀନ ଅପରାଧ କରିବାକୁ ପଛାଇ ନଥାନ୍ତି । ହେଲେ ପରିସ୍ଥିତି ଭଳି ଏକ ଶବ୍ଦ ଯେ କୁଲି ନଂ-୩୬ ଆଗରେ ହାର ମାନିଛି ।

କୁଲି ନଂ-୧ ନାମକ ଏକ ସୁପରହିଟ୍ ସିନେମା ୨୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହାର ରିମେକ ବି ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ମୂଳ ସିନେମା ଓ ଏହାର ରିମେକ ଦର୍ଶକଙ୍କ ବେଶ୍ ପସନ୍ଦ ମଧ୍ୟ ଆସିଛି । ହେଲେ ବାସ୍ତବ ଜୀବନରେ କୁଲିର କାହାଣୀ ବେଶ୍ ମର୍ମସ୍ପର୍ଶି । କରୋନା କାଳରେ ରେଳ ଚଳାଚଳ ବନ୍ଦ ରହିବାରୁ ରେଳବାଇ କୁଲିମାନଙ୍କର ଆର୍ଥିକ ପରିସ୍ଥିତି ଦୟନୀୟ ହୋଇପଡିଥିଲା । କୁଲି ପେଶାରେ ବାସ୍ତବରେ ମହିଳାମାନଙ୍କ ସଂଖ୍ୟା ହାତ ଗଣତି । ହେଲେ କରୋନା କାଳରେ ସେମାନଙ୍କ ସ୍ଥିତି ଆପଣ ଅନୁମାନ କରିପାରୁଥିବେ । ସେ ଘର ହେଉ କି ବାହାର ଦୁଇଓଳି ରୋଟି ଯୋଗାଡ ପାଇଁ ସେମାନଙ୍କୁ କଣ କଣ କରିବାକୁ ନପଡିଛି । ହେଲେ କୁଲି ନଂ-୩୬ ସନ୍ଧ୍ୟା ସେମାନଙ୍କ ଭିତରୁ ନିଆରା । ୩୦ ବର୍ଷିୟା ସନ୍ଧ୍ୟା ପ୍ରଥମେ ମଧ୍ୟ ପ୍ରଦେଶର କଟନୀ ରେଳଷ୍ଟେସନରେ ଜଣେ ମାନ୍ୟତାପ୍ରାପ୍ତ କୁଲିଥିଲେ । ହେଲେ ଏବେ ତାଙ୍କର କାର୍ଯ୍ୟସ୍ଥଳୀ ରହିଛି ଜବଲପୁର ରେଳଷ୍ଟେସନରେ । ୨ମାସ ତଳେ ଫାର୍ମ କମ୍ପାନୀ ମେନକାଇଣ୍ଡ ସନ୍ଧ୍ୟାଙ୍କୁ ନାରୀଶକ୍ତିର ପ୍ରତୀକ ଭାବେ ୧ଲକ୍ଷ ଟଙ୍କାର ପୁରସ୍କାର ଦେଇଛନ୍ତି ।

ସନ୍ଧ୍ୟା ମରାବୀ ଜବଲପୁର ଜିଲ୍ଲା କୁଣ୍ଡମ ଗ୍ରାମରେ ରହୁଛନ୍ତି । ତାଙ୍କ ସ୍ୱାମୀ ଭୋଲାରାମ କଟନୀ ରେଳଷ୍ଟେସନରେ କୁଲିଥିଲେ । ହେଲେ କିଛି ରୋଗ କାରଣରୁ ୨୦୧୬ ମସିହାରେ ଭୋଲାରାମଙ୍କର ମୃତ୍ୟୁ ହୋଇଯାଇଥିଲା । ଭୋଲାରାମଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିଲେ ସନ୍ଧ୍ୟା । ସନ୍ଧ୍ୟା ଉପରକୁ ଆସିଯାଇଥିଲା ପୁରା ପରିବାରର ବୋଝ । ଶାଶୁ ଓ ୩ପିଲାଙ୍କ ଦାୟୀତ୍ୱ ସନ୍ଧ୍ୟାଙ୍କ ଉପରେ ଥିଲା । ଚାରିଆଡୁ ନିରାଶ ହେବା ପରେ ସନ୍ଧ୍ୟା ନିଷ୍ପତ୍ତି ନେଇଥିଲେ କି ସେ ତାଙ୍କ ସ୍ୱାମୀଙ୍କ ଭଳି ରେଳଷ୍ଟେସନରେ କୁଲିକାମ କରିବେ ।

ରେଳ ଷ୍ଟେସନରେ ଆପଣଙ୍କ ବ୍ୟାଗ ଓ ଜନିଷପତ୍ର ଉଠାଉଥିବା କୁଲି ଆପଣଙ୍କୁ ସାଧାରଣ ଲାଗିପାରନ୍ତି ହେଲେ ଏହି କାମ ମିଳିବା ବଡ ମୁସ୍କିଲ । କୁଲି ହେବା ପାଇଁ ଲାଇସେନ୍ସ ମିଳିବା ନିହାତି ଜରୁରୀ । ଯଦି ୧୦୦ ଲୋକ କୁଲିପାଇଁ ଆବେଦନ କରୁଛନ୍ତି ତେବେ ଜଣଙ୍କୁ ମିଳିବା କଷ୍ଟକର । ପ୍ରଥମେ କୁଲି ହେବା ପାଇଁ କୌଣସି ଯୋଗ୍ୟତାର ଆବଶ୍ୟକତା ପଡୁନଥିବା ବେଳେ ଏବେ ଏହାକୁ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ପାସ କରାଯାଇଛି । ଏହାପରେ ସେମାନଙ୍କୁ ୫୦ କିଲୋ ଉଠାଇବା ସହ ୨୦୦ ମିଟର ଦୌଡର ଏକ ପରୀକ୍ଷା ଦେବାକୁ ପଡିଥାଏ । ଏହି ପରିକ୍ଷା ପାସ୍ କରିବା ପରେ କୁଲିଭାବେ ତାଙ୍କନାମ ପଞ୍ଜିକରଣ କରାଯାଇ ତାଙ୍କୁ ଏକ ନମ୍ବର ଦିଆଯାଇଥାଏ । ଏହାସହ ଜଣେ କୁଲି ଯଦି ଅସୁସ୍ଥ ହୋଇପଡେ କିମ୍ବା ରୋଗରେ ପଡି ମୃତ୍ୟୁବରଣ କରେ ତେବେ ଏହି ନମ୍ବର ସେ ତାଙ୍କ ଭାଇ ବନ୍ଧୁ କିମ୍ବା ପିଲାମାନଙ୍କୁ ଦେଇପାରିବ । ଏହି ଆଧାରରେ ସନ୍ଧ୍ୟାକୁ କୁଲି ଭାବେ ପଞ୍ଜିକରଣ ମିଳିବା ସହ ନମ୍ବର ବି ମିିଳିଯାଇଥିଲା ।

ସନ୍ଧ୍ୟାଙ୍କୁ ସିନା ପଞ୍ଜିକରଣ ମିଳିଗଲା ହେଲେ ତାଙ୍କ କର୍ମସ୍ଥଳୀ ତାଙ୍କ ଘରଠାରୁ ୨୫୦ କିଲୋମିଟର ଦୂରରେ ଥିଲା । ତେଣୁ ସନ୍ଧ୍ୟା ଦୈନିକ ଟ୍ରେନରେ ଯାତାୟତ କରୁଛନ୍ତି । ପୁଣି କାମ ହେଉଛି ଓଜନଦାର ବୋଝ ବୋହିବା । ଜଣେ ମହିଳାଙ୍କ କ୍ଷେତ୍ରରେ ଏହା ଅତି କଠିନ କାମ । ହେଲେ ସନ୍ଧ୍ୟା ଧର୍ଯ୍ୟର ସହିତ ଏହି କାର୍ଯ୍ୟ କରିଚାଲିଛନ୍ତି ।

ଏନେଇ ସନ୍ଧ୍ୟା କହିଛନ୍ତି କି ଦୃଢ ଇଚ୍ଛାଶକ୍ତି ଓ ସମ୍ମାନର ସହ ବଞ୍ଚିବାକୁ ସେ କୌଣସି ବି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଆଶା ରଖିଛନ୍ତି କି ସେ ତାଙ୍କର ତିନୋଟି ପିଲାଙ୍କୁ ଇଜ୍ଜତର ସହ ରୋଜଗାର କରି ପାଠ ପଢାଇବେ ଓ ସେମାନଙ୍କୁ ଭଲ ମଣିଷ କରିବେ ।