କ୍ରିକେଟରେ ବଡ ପରିବର୍ତ୍ତନ ନେଇ ମିଳିଲାଣି ସଂକେତ! କମିବ ଦ୍ୱିପାକ୍ଷିକ ଦିନିକିଆ ସିରିଜ, ଫ୍ରାଞ୍ଚାଇଜ କ୍ରିକେଟକୁ ମିଳିବ ଲାଭ !

526

କନକ ବ୍ୟୁରୋ : ଟି-୨୦ ଲିଗର କ୍ରେଜ ବଢୁଥିବା ବେଳେ ଟେଷ୍ଟ ଓ ଦିନିକିଆ କ୍ରିକେଟ ପାଇଁ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି । କାରଣ ୧୩ ଜୁଲାଇରୁ ଆମେରିକାରେ ଆରମ୍ଭ ହେବାକୁ ଯାଉଛି ନୂଆ ଟି-୨୦ କ୍ରିକେଟ ଲିଗ୍ । ଏହି ଟି-୨୦ ଲିଗରେ ୬ଟି ଟିମ୍ ଭାଗ ନେବେ । ଏହାପୂର୍ବରୁ ନୂଆ କ୍ରିକେଟ ନିୟମ ସୃଷ୍ଟି କରୁଥିବା ଏମସିସି ୨୦୨୭ ପରେ ଦ୍ୱିପାକ୍ଷିକ ସିରିଜ କମ କରିବାକୁ ପରାମର୍ଶ ଦେଇଛି । କେବଳ ବିଶ୍ୱକପ ଖେଳାଯିବାର ଗୋଟିଏ ବର୍ଷ ପୂର୍ବରୁ ଦ୍ୱିପାକ୍ଷିକ ସିରିଜ ଖେଳାଯାଉ ବୋଲି କହିଛି ଏମସିସି । କାରଣ ଲଗାତାର କିଛି ବର୍ଷ ହେବ ଦିନିକିଆ ଦ୍ୱିପାକ୍ଷିକ ସିରିଜର ଲୋକପ୍ରିୟତା କମି କମି ଚାଲିଛି ।

ଏବେ ଦ୍ୱିପାକ୍ଷିକ ସିରିଜ ପାଇଁ ଟିମ୍ ଗୁଡିକର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହୁଛି । ଏପରିକି କିଛି ଫ୍ରାଞ୍ଚାଇଜ ଟି-୨୦ ଟିମରେ ଶ୍ରେଷ୍ଠ ଖେଳାଳୀଙ୍କୁ ନେବାକୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ ଆପଣାଇବା ଆରମ୍ଭ କଲେଣି । ଯେଉଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଆଗାମୀ ଦିନରେ ଅନେକ ଅର୍ନ୍ତଜାତୀୟ ଖେଳାଳୀଙ୍କୁ ଦେଖିବାକୁ ମିଳିବ । ଆଉ ଫ୍ରାଞ୍ଚାଇଜ କ୍ରିକେଟର ଏଭଳି ଆଭିମୁଖ୍ୟ ଏବେ ଆଇସିସିର ଚିନ୍ତା ବଢାଇ ଦେଇଛି । ଆଗକୁ ଆଇପିଏଲରେ ମଧ୍ୟ ଅଧିକରୁ ଅଧିକ ମ୍ୟାଚ୍ ଖେଳାଯିବ । ଯାହାର ସିଧାସଳଖ ପ୍ରଭାବ ଦ୍ୱିପାକ୍ଷିକ ସିରିଜ ଉପରେ ପଡିବ । ତେଣୁ ଏହାପୂର୍ବରୁ ଦ୍ୱିପାକ୍ଷିକ ସିରିଜ କମ କରି ଅଳ୍ପ ସଂଖ୍ୟକ ମ୍ୟାଚ ଖେଳାଇବା ଦ୍ୱାରା ଲୋକଙ୍କର ମ୍ୟାଚ୍ ପ୍ରତି କ୍ରେଜ ରହିବ ।

ଆଇସିସି ଆଗାମୀ ୨୦୨୭ ଯାଏଁ କାର୍ଯ୍ୟସୂଚୀ ପ୍ରସ୍ତୁତି କରି ସାରିଛି । ତେଣୁ ୨୦୨୭ ଯାଏଁ କ୍ରିକେଟ କାର୍ଯସୂଚୀରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନି । କିନ୍ତୁ ୨୦୨୭ ପରେ ଦିନିକିଆ ଦ୍ୱିପାକ୍ଷିକ ସିରିଜ ସଂଖ୍ୟା ଧୀରେ ଧୀରେ କମ ହୋଇଯିବ ।