ଜେଲରେ ମନ୍ତ୍ରୀଙ୍କୁ ମସାଜ୍। ସାମ୍ନାକୁ ଆସିଲା ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରିବାର ଭିଡିଓ।

103

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଉଛ ଦିଲ୍ଲୀ ମନ୍ତ୍ରୀଙ୍କ ଭିଡିଓ । କୁହାଯାଉଛି ଏହି ଦୃଶ୍ୟ ଦିଲ୍ଲୀ ତିହାର ଜେଲ ଭିତରର । ମସାଜ ନେଉଥିବା ବାବୁ ଜଣଙ୍କ ହେଉଛନ୍ତି ଦିଲ୍ଲୀର ପାୱାରଫୁଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା ଅଭିଯୋଗରେ ଜେଲରେ ଥିବା ସତ୍ୟେନ୍ଦ୍ରଙ୍କ ଜେଲ ଭିତରେ ଏମିତି ସୁବିଧା ଯୋଗାଇ ଦିଆଯାଇଛି । ପ୍ରଥମ ଦୃଶ୍ୟରେ ଜଣେ ବ୍ୟକ୍ତି ତାଙ୍କ ଗୋଡକୁ ମସାଜ କରୁଛନ୍ତି, ସେ ଆରାମରେ ଖବରକାଗଜ ପଢୁଛନ୍ତି । ଦ୍ୱିତୀୟ ଦୃଶ୍ୟରେ ବାବୁଙ୍କ ଗୋଡ ମାଲିସ ପରେ ତାଙ୍କ ମୁଣ୍ଡକୁ ସମାଜ କରାଯାଉଛି । ଆଉ ବାବୁ ଚେୟାରରେ ଆରାମରେ ବସିଛନ୍ତି । ତୃତୀୟ ଦୃଶ୍ୟରେ ମସାଜ ପରେ ମନ୍ତ୍ରୀ ତାଙ୍କ ସହଯୋଗୀଙ୍କ ସହ ବସି ଖଟି କରୁଛନ୍ତି । ପାଖରେ ଟିଭି ଲାଗିଛି । ଚେୟାର ପଡିଛି । ଲୋକେ ଆସୁଛନ୍ତି, ଯାଉଛନ୍ତି ।

ଜେଲରେ ଥିବା ଆପ ନେତାଙ୍କୁ ଭିଆଇପି ସୁବିଧା ମିଳୁଥିବା ନେଇ ବୁଧବାର ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି କୋର୍ଟରେ ଅଭିଯୋଗ କରିଥିଲା । ଆଉ ଏବେ ଆପର ମନ୍ତ୍ରୀଙ୍କ ଜେଲ ଭିତରର ଭିଡିଓ ଭାଇରାଲ ହେବାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ ସାମନାକୁ ଆସିବା ପରେ ଆଦମି ପାର୍ଟିକୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ନେତା ଗୌରବ ଭାଟିଆ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏସବୁ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଙ୍ଗିତରେ ହେଉଛି । ଆମ ଆଦମି ପାର୍ଟି ଏବେ ସ୍ପା-ମସାଜ ପାର୍ଟିରେ ପରିଣତ ହୋଇଛି । ଭିଡିଓକୁ ନେଇ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ଜବାବ ରଖି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ବିଜେପି ତଳ ସ୍ତରକୁ ଯାଇ ରାଜନୀତି କରୁଛି । ଜୈନଙ୍କ ଗୋଡ ଖରାପ ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା ଚାଲିଛି ।

ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା ଅଭିଯୋଗରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ସେ ଏବେ ତିହାର ଜେଲରେ ଅଛନ୍ତି । କିନ୍ତୁ ସେଠାରେ ତାଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଉଥିବା ବାରମ୍ବାର ଅଭିଯୋଗ କରି ଆସୁଛି ବିଜେପି । ଅନ୍ୟପଟେ ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହ, ସତ୍ୟେନ୍ଦ୍ରଙ୍କୁ ଗିରଫଦାରୀକୁ, କେନ୍ଦ୍ର ସରକାରଙ୍କ ଏକ ଷଡଯନ୍ତ୍ର ବୋଲି କହି ଆସୁଛି ଆମ ଆଦମି ପାର୍ଟି ।