ବ୍ରହ୍ମପୁରରେ ପୁଣି ରାଗିଂ! ଅଭିଯୋଗ ଆଣିଲେ ଯୁକ୍ତ ଦୁଇ ଛାତ୍ରୀ।

776

କନକ ବ୍ୟୁରୋ: ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣା ଚର୍ଚ୍ଚାରେ ଥିବା ବେଳେ ଏବେ ଖଲ୍ସିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଛି ସମାନ ଅଭିଯୋଗ । ଆଉ ଏ ହେଉଛି ରାଗିଂ ନେଇ ଯୁକ୍ତ ଦୁଇ ଛାତ୍ରୀ କରିଥିବା ଅଭିଯୋଗପତ୍ର । ପାଠ ପଢିବା ବେଳେ ସାମ୍ନା କରୁଥିବା ବିଶୃଙ୍ଖଳାକୁ ନେଇ ଛାତ୍ରୀମାନେ ବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଛନ୍ତି । ପ୍ରିନସିପାଲଙ୍କୁ ଲେଖିଥିବା ଚିଠିରେ ଛାତ୍ରୀ ଲେଖିଛନ୍ତି, କ୍ଲାସରେ ପାଠ ପଢିବାବେଳେ ନିର୍ଯାତନା ଦିଆଯାଉଛି । ଶ୍ରେଣୀ ଗୃହରେ ସିନିୟର ଛାତ୍ର ବାଣ ଫୁଟାଇବା ସହ ଅଭଦ୍ର ଭାଷାରେ କଥାବାର୍ତା କରୁଥିବା ଛାତ୍ରୀ ଜଣଙ୍କ ଲେଖିଛନ୍ତି । ରାଗିଂ ଘଟଣା ନେଇ ଅଭିଯୋଗ ପାଇବା ପରେ ଆଂଟି ରାଗିଂ କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଲେଜ କର୍ତୃପକ୍ଷ ।

ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ବିଜେଡି ଲିଙ୍କ୍ ସାମ୍ନାକୁ ଆସିବା ପରେ ଘେରିଛିି ଛାତ୍ର କଂଗ୍ରେସ । ଆଉ ବିଜେଡି କ୍ୟାମ୍ପସ କମିଟି ରହିଲେ ଆଗାମୀ ଦିନରେ ରାଗିଂ ବଢିଚାଲିବ ବୋଲି ଦଳ ଅଭିଯୋଗ କରିଛି । ତେଣୁ କ୍ୟାମ୍ପସ କମିଟିକୁ ଅବୈଧ ଘୋଷଣା କରି ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ।

ସେପଟେ ବ୍ରହ୍ମପୁରରେ ଏହି ରାଗିଂ ଘଟଣାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ଦେଖାଇଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ କଲେଜରେ ସମସ୍ତ ଅଧ୍ୟକ୍ଷଙ୍କ ସହ ଭର୍ଚୁଆଲ ମିଟିଂ କରିବା ପରେ ସରକାର ଗାଇଡ୍ ଲାଇନକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଛାତ୍ର ଓ ଅଭିଭାବକଙ୍କଠାରୁ ସି-୧ ଓ ସି-୨ ଫର୍ମରେ ଅଣ୍ଡରଟେକିଂ ରଖିବା
ଆଂଟି ରାଗିଂ ସ୍କ୍ୱାର୍ଡକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ
ଯୌନ ଶୋଷଣ ନିରୋଧୀ ସେଲକୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ
ଶୃଙ୍ଖଳାଗତ କମିଟି ଗଠନ କରିବାକୁ ନିର୍ଦ୍ଦେଶ
ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

କଲେଜ ଏବଂ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଢି ରାଜନୈତିକ ଦଳ ଏକ ନୂଆ ଧାରା ଆରମ୍ଭ କରିଛନ୍ତି । କିନ୍ତୁ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବିହୋଇଛି ।