ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ, ଭକ୍ତଙ୍କ ସ୍ପର୍ଶରେ ହେଉଛି ପତଳା। ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଦିଆଯିବ ଷ୍ଟିଲ ଫ୍ରେମ।

126

କନକ ବ୍ୟୁରୋ: ଦୁର୍ବଳ ହେଲାଣି ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ । ଭକ୍ତଙ୍କ ସ୍ପର୍ଶରେ ହେଉଛି ପତଳା । ରୂପାରେ ହେବ ଆଛାଦିତ । ପ୍ରଶାସନର ରିପୋର୍ଟ ଅନୁସାରେ ଭକ୍ତଙ୍କ ସ୍ପର୍ଶ ଯୋଗୁଁ ଗରୁଡ ସ୍ତମ୍ଭ କ୍ଷୟ ହେବାରେ ଲାଗିଛି । ଭକ୍ତ କୋଳାଗ୍ରତ କରିବା ଫଳରେ ପତଳା ହେଉଛି ସ୍ତମ୍ଭ । ଏହା ଗରୁଡ ସ୍ତମ୍ଭର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରୁଡ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ନିର୍ମିତ । ଦିନକୁ ଦିନ ଗରୁଡ ସ୍ତମ୍ଭ ପତଳା ଓ ଦୁର୍ବଳ ହେଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଗରୁଡ ସ୍ତମ୍ଭ ଚାରିପଟେ ରୂପା ଆଚ୍ଛାଦିତ କରିବାକୁ ଆଲୋଚନା ଚାଲିଛି । ପଶ୍ଚିମବଙ୍ଗ ଦୁର୍ଗାପୁର ସ୍ଥିତ ଭିରିଙ୍ଗି କମର୍ସିଆଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ପ୍ରସ୍ତାବ ଅନୁସାରେ, ଗରୁଡ ସ୍ତମ୍ଭର ଚାରିପଟକୁ ଷ୍ଟିଲ ଫ୍ରେମ ଦ୍ୱାରା ଆଚ୍ଛାଦିତ କରାଯିବ । ଗରୁଡ ସ୍ତମ୍ଭ ମାପ ଅନୁସାରେ ବୃତ୍ତାକାରରେ ଫ୍ରେମ ତିଆରି ହେବ। ଫ୍ରେମ ପ୍ରସ୍ତୁତ ପରେ ଏହା ଉପରେ ରୁପା ଆଚ୍ଛାଦିତ ହେବ । ଏ ବାବଦକୁ ଖର୍ଚ୍ଚ ହେବ ୧ କୋଟି ୩୦ ଲକ୍ଷ ଟଙ୍କା ।

ତେବେ ଗରୁଡ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡିତ ଥିବାରୁ ଏଭଳି ପ୍ରସ୍ତାବ ଉପରେ ବିଚାରବମର୍ଶ ଜାରିରହିଛି । ତେବେ କିଛି ସେବାୟତ ଓ ସାମାଜିକ କର୍ମୀ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ବର୍ତମାନ ଏହି ପ୍ରସ୍ତାବ ଉପରେ ପ୍ରାଥମିକ ଆଲୋଚନା ଚାଲିଛି । ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କଠାରୁ ମତାମତ ବି ଲୋଡାଯାଇଛି । ସହମତି ମିଳିଲେ ପ୍ରସ୍ତାବ କାର୍ଯ୍ୟକାରୀ ହେବ ।