ହକ ପାଇଁ ଅନ୍ନଦାତାଙ୍କ ଆନ୍ଦୋଳନ : କେଉଁଠି ମଣ୍ଡିରେ ତାଲା ତ ଆଉ କେଉଁଠି ରାସ୍ତା ଅବରୋଧ କଲେ ଚାଷୀ, ଧାନ ଅମଳ ସରିଥିଲେ ସୁଦ୍ଧା ବିକ୍ରି ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ

119

କନକ ବ୍ୟୁରୋ : ହକ୍ ପାଇଁ ଅନ୍ନଦାତାଙ୍କ ଆନ୍ଦୋଳନ । କେଉଁଠି ମଣ୍ଡିରେ ତାଲା ପଡ଼ିଛି, ତ ଆଉ କେଉଁଠି ଧାନ ବିକ୍ରି ପାଇଁ ରାସ୍ତାକୁ ଓହ୍ଲାଇଛି ଚାଷୀ । କିଛି ସ୍ଥାନରେ ଏଭଳି ସ୍ଥିତି ରହିଛି ଯେ, ଧାନ ଅମଳ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି ।

ବିକ୍ରି ଅପେକ୍ଷାରେ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଗଦା ହୋଇଥିଲେ ସୁଦ୍ଧା ମଣ୍ଡିକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ପୂର୍ବରୁ ବିକ୍ରି ହୋଇଥିବା ଧାନର ଟଙ୍କା ନମିଳିବା ଯାଏଁ, ଧାନ ଉଠିବାକୁ ଦିଆଯିବ ନାହିଁ ବୋଲି ଅଡ଼ି ବସିଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କାଦୁଅ ପଞ୍ଚାୟତର ଚାଷୀ । ଚାଷୀଙ୍କ ଅଭିଯୋଗ ହେଇଛି ୭ ବର୍ଷ ହେବ ସେବା ସମବାୟ ସମିତି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ବାକି ରଖିଛି ।

ଏପଟେ ଫସଲ ବିକ୍ରୀ ପାଇଁ ଚାଷୀ ହସ୍ତସନ୍ତ । କଟକ ଜିଲ୍ଲା ନିଆଳି ବ୍ଲକରେ ସରକାରୀ ମଣ୍ଡି ଖୋଲି ନଥିବାରୁ ଚାଷୀ ଅଭାବି ବିକ୍ରିର ଶିକାର ହୋଉଥିବା ଅଭିଯୋଗ ହୋଇଛି । ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଏହାର ଫାଇଦା ଉଠାଉଛନ୍ତି ଦଲାଲ ଓ ଅସାଧୁ ବେପାରୀ । ଆଉ ଏହାରି ଭିତରେ କିଏ ଧାନ ବସ୍ତାକୁ ରାସ୍ତା କଡରେ ରଖିଛି ତ ଆଉ କିଏ ଖଳା ଓ ଛାତ ଉପରେ ଖୋଲା ଆକାଶ ତଳେ ରଖିବାକୁ ବାଧ୍ୟ ହେଉଛି ।

ସେହିପରି କଳାହାଣ୍ଡି କଲମପୁର ବ୍ଲକ କୁଟୁରୁ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ । ଧାନ ବସ୍ତା ରଖି କୁଟୁରୁ ଛକଠାରେ ରାସ୍ତା ଅବରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ । ଫଳରେ ଜୟପାଟଣା-ମୋଟେର ରାସ୍ତା ଅବରୋଧ ହୋଇଛି । ଜୟପାଟଣା ପୁଲିସ ଓ ଜିଲ୍ଲା ଯୋଗାଣ ଅଧିକାରୀ ପହଂଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ସତ କିନ୍ତୁ ଚାଷୀ ଅସନ୍ତେଷ ସେମିତି ବଳବତର ରହିଛି । ଧାନ ଅମଳ ହୋଇ ଠିକ୍ ବିକ୍ରି ହେବା ସମୟରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଯୋଗୁଁ ଏବେ ଘାଂଟି ହେଉଛନ୍ତି ଚାଷୀ ।