ଉପର ମୁଣ୍ଡରେ ପ୍ରବଳ ବର୍ଷା ପ୍ରଭାବରେ ଫୁଲୁଛି ସାବେରୀ ନଦୀ । ମାଲକାନଗିରି-ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ

80

କନକ ବ୍ୟୁରୋ: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ସାବେରୀ ନଦୀ । ମାଲକାନଗିରି ଦେଇ ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସାବେରୀ ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ଝାପରା ପୋଲ ଉପରେ ୫ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ମାଲକାନଗିରି ସହ ସୁକୁମା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୁକୁମା ଜିଲ୍ଲା ସଦର ମହକୁମାରେ ବନ୍ୟା ଅଶଙ୍କା ଥିବାରୁ ହାଇ ଆର୍ଲଟ ଜାରି କରିଛି ସୁକୁମା ପ୍ରଶାସନ ।

ଅନ୍ୟପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଗଡ଼, ନବରଙ୍ଗପୁର ଓ କଳାହାଣ୍ଡର ବିଭିନ୍ନ ସ୍ଥାନରୁ ଆସିଛି ପାଣି ସମ୍ପର୍କୀତ ଖବର । ପାହାଡ଼ି ଝରଣା ମାଡ଼ି ଆସିବାରୁ ଅଳ୍ପକେ ବର୍ତିଯାଇଛି କାଉଡ଼ିଆଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ । ମନ୍ଦିର ପାଖରେ ଥିବା ଝରଣାରୁ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ହଠାତ ମାଡ଼ି ଆସିଲା ଝରଣା ଜଳ । ବିପଦ ସଂକୁଳ ଅବସ୍ଥାରେ ହାତ ଧରାଧରି ହୋଇ ଝରଣା ଅତିକ୍ରମ କରିଛନ୍ତି କାଉଡ଼ିଆ । ଆଜି ଶ୍ରାବଣ ଶେଷ ସୋମବାର ହୋଇଥିବାରୁ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼ ଜମିଥିଲା । ଏହି ସମୟରେ ଝରଣାରେ ଅତ୍ୟଧିକ ପାଣି ଆସିବାରୁ ଏଭଳି ଅଘଟଣ ଘଟିଥିଲା ।

ସେହିଭଳି ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ସଚେତନ କରିବାକୁ ଆସି ଗାଁରେ ପହଞ୍ଚି ପାରିଲେନି ଡାକ୍ତରୀ ଟିମ୍ । ବନ୍ୟା ପାଣିର ଗୋଟିଏ ପାଖରେ ରହି ଆରପଟକୁ ଲୋକମାନଙ୍କ ନିକଟକୁ ଫିଙ୍ଗିଲେ ଔଷଧ । ଏଭଳି ଖବର ଆସିଛିି ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ । ଲଘୁଚାପ ଜନିତ ବର୍ଷା ପାଇଁ ସମସ୍ତ ନଦୀ ଓ ନାଳରେ ଜଳସ୍ତର ବଢ଼ିଛି । ଯାହାଫଳରେ ଝାଡାବାନ୍ତିରେ ଆକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚି ପାରିିନଥିଲେ ସ୍ୱାସ୍ଥ୍ୟ ବିଭାଗ ଟିମ୍ । ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଥିଲେ । ଏହାସହ ପଲିଥିନରେ ଔଷଧ ବାନ୍ଧି ନଦୀର ଆରପାରିକୁ ଫୋପାଡି ଗାଁ ଲୋକଙ୍କ ପାଖକୁ ଔଷଧ ପହଞ୍ଚାଇଲେ ସ୍ୱାସ୍ଥ୍ୟ ଟିମ୍ । କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ପ୍ରଭାବ ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ଧୋଇଯାଇଛି ଡାଇଭର୍ସନ ରୋଡ଼ । ଫଳରେ ଓଡ଼ିଶା- ଛତିଶଗଡ଼ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।