ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କୀ ଓ ସିରିଆ । ୧୩ଶହ ଟପିଲା ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି । ସେପଟେ ଇଟାଲୀରେ ସୁନାମୀ ଆଲର୍ଟ

105

କନକ ବ୍ୟୁରୋ: ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ତାହା ଆଜି ତୁର୍କୀ ଓ ସିରିଆରେ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଭୂମିକମ୍ପରେ ଥରି ଉଠିଛି ତୁର୍କୀ, ସିରିଆ, ଇଜ୍ରାଏଲ ଓ ଲେବାନନ୍ । ତେବେ ତୁର୍କୀରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ରିକ୍ଟର ସ୍କେଲରେ ୭.୮ ଓ ୭.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ଫଳରେ ତୁର୍କୀର ୧୦ରୁ ଅଧିକ ସହରରେ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । ସେପଟେ ତୁର୍କୀରେ ଭୂମିକମ୍ପ ପରେ ଇଟାଲୀକୁ ସୁନାମୀ ଆଲର୍ଟ ଜାରି କରାଯାଇଛି ।

  • ତୁର୍କୀରେ ଭୂକମ୍ପର ତାଣ୍ଡବ
  • ୧୩୦୦ ଟପିଲା ମୃତକଙ୍କ ସଂଖ୍ୟା
  • ମାଟିରେ ମିଶିଲା ସୁଉଚ୍ଚ ଅଟ୍ଟାଳିକା

ସୋମବାର ଭୋର ୪ଟା ୧୭ରେ ତୁର୍କୀର ଗଜିୟାଟେମ୍ପରେ ଶକ୍ତିଶାଳୀ ଭୂକମ୍ପ ପରେ ପୂରା ସହର ଶ୍ମଶାନ ପାଲଟି ଯାଇଛି । ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡୁଛନ୍ତି । ଚାରିଆଡେ ବଡ ବଡ ଅଟ୍ଟାଳିକାର ଧ୍ୱଂସାବଶେଷ । ଲୋକଙ୍କ କାନ୍ଦବୋବାଲିରେ ଅଞ୍ଚଳ ଫାଟି ପଡୁଛି । ଭଗ୍ନାବଶେଷ ତଳୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି । ତୁର୍କୀ ଓ ସିରିୟାରେ ତାଣ୍ଡବ ରଚିଛି ପ୍ରକୃତି । ବର୍ତ୍ତମାନ ସୁଦ୍ଧା ତୁର୍କୀ ଓ ସିରିୟାରେ ୧୩ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାଛଡା ବହୁ ଲୋକ ଏବେ ବି ଭଙ୍ଗା ଅଟ୍ଟାଳିକା ତଳେ ଚାପି ହୋଇଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି ।

  • ଗଜିୟାଟେମ୍ପରେ ଭୋର ୪ଟା ୧୭ ମିନିଟରେ ହୋଇଥିଲା ଭୟଙ୍କର ଭୂମିକମ୍ପ
  • ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଛି
  • ବଡ ଭୂକମ୍ପ ପରେ ତୁର୍କୀରେ ୧୮ ଥର ଝଟକା ଅନୁଭୂତ ହୋଇଛି
  • ଅପରାହ୍ନରେ ଏଲବିଷ୍ଟାନରେ ୭.୬ ତୀବ୍ରତାର ଭୂମିକମ୍ପ ବ୍ୟାପକ କ୍ଷୟ କ୍ଷତି କରିଛି

ଭୟଙ୍କର ଭୂମିକମ୍ପର ମୁକାବିଲା କରୁଥିବା ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ । ପ୍ରତ୍ୟେକ ଭୂକମ୍ପ ପୀଡିତଙ୍କ ସହ ୧୪୦ କୋଟି ଭାରତୀୟଙ୍କ ସମବେଦନା ରହିଛି ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ତୁର୍କୀକୁ ସବୁ ପ୍ରକାର ସହାୟତା କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭୂକମ୍ପ ଭଳି ଭୟଙ୍କର ପ୍ରାକୃତିକ ବିପତ୍ତି ତୁର୍କୀ ଓ ସିରିୟାରେ ମୃତ୍ୟୁର ତାଣ୍ଡବ ରଚିଛି । ସେପଟେ ଇସ୍ରାଏଲ ଓ ଲେବାନନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।