କେନ୍ଦ୍ରୀୟ ବଜେଟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ଆଫଗାନିସ୍ତାନର ସହାୟତା ପାଇଁ ୨୦୦ କୋଟି ଟଙ୍କା ଘୋଷଣା।

271

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ସଂସଦରେ ପୂର୍ଣ୍ଣ ବଜେଟ୍ ଆଗତ କରିଥିଲେ । ସରକାର ୨୦୨୩-୨୪ ବର୍ଷ ପାଇଁ ୪୫ ଲକ୍ଷ କୋଟି ଟଙ୍କା ବଜେଟ୍ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ଆଫଗାନିସ୍ତାନ ପାଇଁ ୨୦୦ କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଛି । ତାଲିବାନ ସରକାର ପାଇଁ ଭାରତ ସରକାରଙ୍କ ସହାୟତାକୁ ପ୍ରଶଂସା କରିଛନ୍ତି ତାଲିବାନ ରାଜନୈତିକ ମୁଖ୍ୟ ସୁହେଲ ଶାହୀନ । ସେ ଏହି ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଶ୍ନ- କେନ୍ଦ୍ର ବଜେଟରେ ଭାରତ ସରକାର ଆଫଗାନିସ୍ତାନ ପାଇଁ ୨ଶହ କୋଟି ଟଙ୍କାର ବ୍ୟୟବରାଦକୁ ଆପଣ କିଭଳି ଦେଖୁଛନ୍ତି?

ଉତ୍ତର- ଏହି ଅର୍ଥକୁ ଯଦି ଅଫଗାନିସ୍ତାନର ଦାରିଦ୍ର୍ୟ ଦୂରୀକରଣ ଓ ବିିଭିନ୍ନ ପ୍ରକଳ୍ପ ଉନ୍ନତିକରଣ ଦିଗରେ ଖର୍ଚ୍ଚ କରାଗଲେ, ଦେଶ ପାଇଁ ହିତକର ହେବ । ଇସଲାମିକ ଏମିରେଟସ ଅଫ ଆଫଗାନିସ୍ତାନ ଶାସନଭାର ନିଜ ହାତକୁ ନେବା ପୂର୍ବରୁ ଭାରତ ଏଠାରେ ଅନେକ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ଅଧାରେ ଏହିସବୁ କାମ ବନ୍ଦ କରେଇ ଦିଆଗଲା ।

ପ୍ରଶ୍ନ- ଆଫଗାନିସ୍ତାନ ଭାରତକୁ ଏତେ ଭରସା କରିବାର କାରଣ କ’ଣ?

ଉତ୍ତର- ଦୁଇ ଦେଶ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି । ଆଫଗାନିସ୍ତାନରେ ଭାରତର ପୁଞ୍ଜି ନିବେଶକୁ ମଧ୍ୟ ଆମେ ସ୍ୱାଗତ କରୁଛୁ ।

ପ୍ରଶ୍ନ- ଆଫଗାନିସ୍ତାନରେ ଉନ୍ନତି ପାଇଁ ତାଲିବାନ ସରକାର କଣ ଲକ୍ଷ୍ୟ ରଖିଛନ୍ତି?

ଉତ୍ତର- ଆମ ସରକାର ଖାଦ୍ୟ ସୁରକ୍ଷା ଓ କୃଷିର ଉନ୍ନତି ଦିଗରେ ଅଧିକ କାମ କରୁଛି । ଆମେ ଏବେ ବହୁତ ବଡବଡ କୃଷିଭିତ୍ତିକ ଓ ଭିତ୍ତିଭୂମି ପ୍ରକଳ୍ପ ଉପର କାମ କରୁଛୁ । ଆମ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କ୍ୱାସ୍ତିଫା ପ୍ରକଳ୍ପ ଓ ବିଭିନ୍ନ ନଦୀବନ୍ଧ ପ୍ରକଳ୍ପ ଦୁଇଟି ବଡ ଉଦାହରଣ ।

ପ୍ରଶ୍ନ- କାଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗ ହେଉ କିମ୍ବା ପେଶାୱାର ବୋମା ବିସ୍ଫୋରଣ ଭଳି ଘଟଣା, ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଆତଙ୍କବାଦ କେତେ ଭୟାନକ?

ଉତ୍ତର- କାଶ୍ମୀର ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ । ଆମେ ଏହାର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ । ମସଜିଦ ଉପରେ ଆକ୍ରମଣ ମଧ୍ୟ ଇସଲାମିକ ନିୟମକୁ ଉଲ୍ଲଂଘନ କରୁଛି । ଏଭଳି ଏକ ବର୍ବରୋଚିତ ଘଟଣାରେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କୁ ଠାବ କରାଯିବା ଉଚିତ ।