ଶରଦଙ୍କୁ ଛାଡୁଛନ୍ତି, ଅଜିତଙ୍କ ହାତ ଧରୁଛନ୍ତି । ମହାରାଷ୍ଟ୍ରରେ ଧୀରେ ଧୀରେ ବଢୁଛି ଅଜିତଙ୍କ ପାୱାର । ଗୋଷ୍ଠୀ ବଦଳାଉଛନ୍ତି ଏନସିପି ବିଧାୟକ ।

340

କନକ ବ୍ୟୁରୋ: ଶରଦ ପାୱାରଙ୍କ ସହ ବିଦ୍ରୋହ ପରେ ଏବେ ଧୀରେ ଧୀରେ ବଢିବାକୁ ଲାଗୁଛି ଅଜିତ୍ ପାୱାରଙ୍କ ପାୱାର । ମହାରାଷ୍ଟ୍ରରେ ଏବେ ବିଧାୟକଙ୍କ ଅଦଳବଦଳ ଚାଲିଥିବାବେଳେ, ଅଜିତଙ୍କ ଗୋଷ୍ଠୀ ଧୀରେ ଧୀରେ ଆହୁରି ଅଧିକ ଶକ୍ତିଶାଳୀ ହେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଶରଦ ପାୱାର ନିଜ ବିଦ୍ରୋହୀ ବିଧାୟକଙ୍କୁ ଦଳକୁ ଫେରାଇ ଆଣିବାକୁ ଚେଷ୍ଟା ଚଳାଇଥିବାବେଳେ, ଅନ୍ୟପଟେ ଶରଦଙ୍କ ଗୋଷ୍ଠୀର ଜଣକ ପରେ ଜଣେ ନେତା ଅଜିତଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ଯାହାକି ମହାରାଷ୍ଟ୍ର ରାଜନୀତିକୁ ଆହୁରି ଅଧିକ ରୋଚକ କରିଛି ।

ଏହାରି ଭିତରେ ଶରଦଙ୍କ ଗୋଷ୍ଠୀର ଆଉ ଜଣେ ବିଧାୟକ ଗୋଷ୍ଠୀ ପରିବର୍ତ୍ତନ କରିଛନ୍ତି । ବିଧାୟକ ରାଜେନ୍ଦ୍ର ଶିଙ୍ଗନେ ଶରଦଙ୍କ ହାତ ଛାଡି ଅଜିତଙ୍କ ସହ ହାତ ମିଳାଇବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, ଯଦି ଶରଦ ପାୱାର ତାଙ୍କର ସାହାଯ୍ୟ କରିବେ, ତେବେ ସେ ତାଙ୍କୁ ସମର୍ଥନ ଦେବାକୁ ରାଜି ଅଛନ୍ତିି ।ଖାଲି ସେତିକି ନୁହେଁ, ଶରଦଙ୍କ ଗୋଷ୍ଠୀର ଆଉ ଜଣେ ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଅଜିତଙ୍କୁ ସମର୍ଥନ ଦେଉଥିବା କଥା ଘୋଷଣା କରିଛନ୍ତି । ଅର୍ଥାତ ଏବେ ସେ ଶରଦଙ୍କୁ ଛାଡି ଦେଇଥିବା କଥା ସ୍ପଷ୍ଟ କରିଛନ୍ତି । ଏହାବାଦ୍ ଶରଦଙ୍କ ବୈଠକରେ ଯୋଗ ଦେଇଥିବା ବିଧାୟକ କିରଣ ଲୋହାମଟେ ଏବେ ଅଜିତଙ୍କ ସହ ବୈଠକ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଖୁବଶୀଘ୍ର ସେ ମଧ୍ୟ ପଟ୍ଟ ପରିବର୍ତ୍ତନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏହିଭଳି ଢଙ୍ଗରେ ମହାରାଷ୍ଟ୍ରର ତମାମ ବିଧାୟକ ଏବେ ପଟ୍ଟ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି । ନାସିକର ଦେବଲାଲୀରୁ ବିଧାୟକ ଥିବା ସରୋଜ ଅହୀରେ ବର୍ତ୍ତମାନ ହସ୍ପିଟାଲରେ ଥିବାରୁ, ସେ କେଉଁ ଗୋଷ୍ଠୀରେ ରହିବେ ତାହା ସ୍ପଷ୍ଟ ହେଇନି । ଏହାରି ଭିତରେ ଶରଦଙ୍କ ଝିଅ ସୁପ୍ରିୟା ସୁଲେ ତାଙ୍କୁ ହସ୍ପିଟାଲରେ ଭେଟିଥିବାବେଳେ, ଅଜିତଙ୍କ ଗୋଷ୍ଠୀର ନେତା ଛଗନ ଭୁଜବଳ ମଧ୍ୟ ତାଙ୍କୁ ହସ୍ପିଟାଲ ଯାଇ ସାକ୍ଷାତ କରିଛନ୍ତି ।