ଓଡିଶାର ଖଣି ଉପରେ ଆନ୍ଧ୍ରର ଆଖି : ରିପୋର୍ଟ ସାର୍ବଜନୀନ ପରେ ସାମ୍ନାକୁ ଆସିଲା ସତ

252

କନକ ବ୍ୟୁରୋ : ଓଡ଼ିଶାର ସୀମାନ୍ତ ଗାଁକୁ ଅକ୍ତିଆର କରିବା ପାଇଁ ନୂଆ ରଣନୀତି ଅନୁସାରେ ଅଭିଯାନକୁ ଜୋରଦାର କରିଛି ଆନ୍ଧ୍ର । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ରାଇପାହାଡ ଗାଁରେ । ଲୋକଙ୍କୁ ପ୍ରଭାବିତ ତଥା ପ୍ରଲୋଭିତ କରିବା ପାଇଁ ତତ୍ପର ହୋଇଛନ୍ତି ଆନ୍ଧ୍ର ଅଧିକାରୀ । ୨୦୧୮ ମସିହାରେ ଆନ୍ଧ୍ରପ୍ରଦେଶ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ପକ୍ଷରୁ ରାଇପାହାଡ ଓ ଆଖପାଖ ଅଞ୍ଚଳରେ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟକୁ ସାର୍ବଜନୀନ କରାଯାଇନଥିଲା । ଗ୍ରାମବାସୀଙ୍କୁ ମଧ୍ୟ ସର୍ଭେ ପଛର ସତ ଲୁଚାଇଥିଲେ ।

ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଏଥିପାଇଁ ସର୍ଭେ ଚାଲିଥିବା କୁହାଯାଇଥିଲା । ଚଳିତ ବର୍ଷ ଜୁନ୍ ୨୬ ତାରିଖରେ ଏହି ରିପୋର୍ଟ ସାର୍ବଜନୀନ ହୋଇଥିଲା । ସର୍ଭେ ପଛର ଉଦ୍ଦେଶ୍ୟ ଖଣି ସନ୍ଧାନ ଥିଲା ବୋଲି ଜଣାପଡ଼ିଛି । ରାଇପାହାଡ ଗାଁ ସଂଲଗ୍ନ ପାହାଡ ଗୁଡିକରେ ପ୍ରଚୁର ପରିମାଣର ବକ୍ସାଇଟ୍ ରହିଛି । ଖାଲି ବକ୍ସାଇଟ୍ ନୁହଁ ଲାଇମଷ୍ଟୋନ୍, ଜେମସଷ୍ଟୋନ୍, ଲୁହାପଥର, ଅଭ୍ର ରହିଛି । ହଜାର ହଜାର କୋଟିର ଖଣିଜ ଏହି ପାହାଡ ଗୁଡ଼ିକରେ ରହିଛି । ବିଶେଷ କରି ରାଇପାହାଡ ଗାଁକୁ ଲାଗି ରହିଥିବା ଚାଟୁଆ ପାହାଡ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ।