ସିନ୍ଦେ ସରକାର ଉପରେ ବିରୋଧୀଙ୍କ ଗୁରୁତର ଅଭିଯୋଗ, ନିର୍ଭୟା ଫଣ୍ଡ ଟଙ୍କାରେ କିଣାଯାଇଥିବା ଗାଡି ବ୍ୟବହାର କରୁଛନ୍ତି ସାଂସଦ ଓ ବିଧାୟକ

142

କନକ ବ୍ୟୁରୋ : ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଉପରେ ଉଦ୍ଧବ ଠାକରେ ଗୋଷ୍ଠୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିରୋଧୀ ଉଦ୍ଧବ ଗୋଷ୍ଠୀ କହିଛନ୍ତି କି, ସିନ୍ଦେ ସରକାର ମହାରାଷ୍ଟ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡରୁ ଟଙ୍କା ନେଇ ବିଧାୟକ ଓ ସାଂସଦମାନଙ୍କ ପାଇଁ ସୁରକ୍ଷିତ ଗାଡି କିଣିଛନ୍ତି । ଏନେଇ ଉଦ୍ଧବ ଠାକରେ କହିଛନ୍ତି କି, ରାଜ୍ୟ ସରକାରଙ୍କ ପାଇଁ ଏହାଏକ ଲଜ୍ଜଜନକ ଘଟଣା । ଆମେ ସବୁ ଜାଣିଛୁ କି ନିର୍ଭୟା ଫଣ୍ଡ କାହିଁକି ଗଠନ କରାଯାଇଥିଲା । ଏହି ଫଣ୍ଡକୁ ଆସୁଥିବା ସହାୟତା ଅର୍ଥ ଜରିଆରେ ରାଜ୍ୟରେ ମା ଓ ଭଉଣୀଙ୍କୁ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କୁ ଧରିବା କାମରେ ବ୍ୟବହାର କରାଯିବ । ହେଲେ ସିନ୍ଦେ ସରକାର ଏହି ଟଙ୍କାରେ ନିଜ ଦଳର ବିଧାୟକ ଓ ସାଂସଦମାନଙ୍କ ପାଇଁ ଗାଡି କିଣିବା ଓ ମଉଜ କରିବାରେ ଖର୍ଚ୍ଚ କରୁଥିବା କଥା ଅଭିଯୋଗ ଆଣିଛନ୍ତି ଉଦ୍ଧବ ଠାକରେ ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ବର୍ଷ ୩୦ କୋଟି ଟଙ୍କାର ୭୬୮ ଟେି ଗାଡି କିଣାଯାଇଛି । ଏନେଇ ପ୍ରଥମେ ଜଣେ ପୋଲିସ ଅଧିକାରୀ ଦାବି କରିଥିଲେ କି ଏହି ଗାଡିଗୁଡିକ ନିର୍ଭୟା ଫଣ୍ଡରେ ଥିବା ଅର୍ଥରେ କିଣାଯାଇଛି । ପୋଲିସ ଜଣଙ୍କ ଅଭିଯୋଗ କରିଥିଲେ କି ପ୍ରଥମେ ଏହି ଗାଡିଗୁଡିକୁ ମହିଳାଙ୍କ ସୁରକ୍ଷା ଦିଗରେ କାମ କରିବାକୁ କିଣାଯାଇଥିଲା । ହେଲେ ଏବେ ଏହାକୁ ବିଧାୟକ ଓ ସାଂସଦମାନଙ୍କ ସୁରକ୍ଷା ପାଇଁ ନିଆଯାଇଛି । ହେଲେ ଏଭଳି ଅଭିଯୋଗ ପରେ ମଧ୍ୟ ସିନ୍ଦେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ପୋଲିସ ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି କି ନିର୍ଭୟା ଫଣ୍ଡ ଟଙ୍କାରେ କିଣାଯାଇଥିବା ଗାଡିଗୁଡିକ ମଧ୍ୟରୁ ୯୭ ଟି ଗାଡି ପୋଲିସ ଷ୍ଟେସନରେ ବ୍ୟବହାର କରାଯାଉଥିବା ବେଳେ ୪୭ ଟି ବୋଲେରୋ ବିଧାୟକ ଓ ସାଂସଦଙ୍କୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି ।