ମୋଦୀଙ୍କୁ ହତ୍ୟା ପାଇଁ ତତ୍ପର ରୁହ, ଅଥାର୍ତ ମୋଦୀଙ୍କୁ ହରାଇବା ପାଇଁ । କଂଗ୍ରେସ ନେତା କହିଲେ ଫ୍ଲୋରେ ଏମିତି ବାହାରିଯାଏ ।

217

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କ ଏକ ବିବାଦୀୟ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ମୋଦୀଙ୍କୁ ହତ୍ୟା ପାଇଁ ତତ୍ପର ରହିବାକୁ କହୁଛନ୍ତି । କିନ୍ତୁ ସଙ୍ଗେ ସଙ୍ଗେ ହତ୍ୟାର ଅର୍ଥ ମୋଦୀଙ୍କୁ ହରାଇବାକୁ ପ୍ରସ୍ତୁତ ରହିବାକୁ କାର୍ଯ୍ୟକର୍ତ୍ତାଙ୍କୁ କହୁଥିବାର ଦେଖିବାକୁ ମିଳିଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ସଫେଇ ରଖିଛନ୍ତି ରାଜା ପଟେରିଆ । ସେ କହିଛନ୍ତି, ମୋର କହିବାର ଅର୍ଥ ଥିଲା ମୋଦୀଙ୍କୁ ଆଗାମୀ ନିର୍ବାଚନରେ ହରାଅ । ବେଳେବେଳେ ଫ୍ଲୋରେ ପାଟିରୁ ଏମିତି ବାହାରି ଯାଇଥାଏ । ଏପରିକି ମୋ ଭାଷଣକୁ ଠିକ୍ ଢଙ୍ଗରେ ଉପସ୍ଥାପିତ କରାଯାଇନାହିଁ । ତେବେ ବିଜେପି ନେତାଏ ଏହି ଭିଡ଼ିଓ ସେୟାର କଂଗ୍ରେସ ଓ କଂଗ୍ରେସ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ରାଜା ପଟେରିଆଙ୍କ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ସେଥିରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ରାଜା ପଟେରିଆ କହୁଛନ୍ତି, ମୋଦି ନିର୍ବାଚନକୁ ଶେଷ କରିଦେବେ । ଧର୍ମ, ଜାତି, ଭାଷା ଆଧାରରେ ଲୋକଙ୍କୁ ବାଣ୍ଟିଦେବେ । ଦଳିତ, ଅଳ୍ପସଂଖ୍ୟକ ଓ ଆଦିବାସୀଙ୍କ ଜୀବନ ବିପଦରେ ରହିଛି । ଯଦି ସମ୍ବିଧାନକୁ ବଞ୍ଚାଇବାକୁ ଚାହୁଁଛ ତେବେ ମୋଦୀଙ୍କୁ ହତ୍ୟା କରିବାକୁ ତତ୍ପର ହୁଅ । ହତ୍ୟା ଅର୍ଥ ମୋଦୀଙ୍କୁ ହରାଇବାକୁ ତତ୍ପର ହୁଅ ।

ବିଜେପି ନେତା ତଥା ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ପଟେରିଆଙ୍କ ବୟାନ ମୁଁ ଶୁଣିଛି, ଏହା ସ୍ପଷ୍ଟ ଯେ କଂଗ୍ରେସ ଏବେ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ହୋଇ ନାହିଁ ।  ଏହା ଇଟାଲୀ କଂଗ୍ରେସ ହୋଇଯାଇଛି ଏବଂ ଇଟାଲୀର ମୁସୋଲିନଙ୍କ ମାନସିକତା ଭଳି । ଏଭଳି ଏକ ବୟାନକୁ ନେଇ ତୁରନ୍ତ ଏହା ଉପରେ ମାମଲା ରୁଜୁ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।