ନବ ଦାସଙ୍କ ମୁଣ୍ଡକୁ ମାରୁଥିଲି ଛାତିରେ ବାଜିଲା ଗୁଳି : ଜେରା ବେଳେ କ୍ରାଇମବ୍ରାଞ୍ଚକୁ ହତ୍ୟାର କାରଣ କହିଲା ଗୋପାଳ

664

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣା । କାହିଁକି ହତ୍ୟା କଲା ଗୋପାଳ ? ହତ୍ୟାର ୯ ଦିନ ପରେ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜେରା ବେଳେ ଗୋପାଳ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ଦେଇଥିବା କୁହାଯାଉଛି । ଜେରା ବେଳେ କ୍ରାଇମବ୍ରାଞ୍ଚକୁ ହତ୍ୟାର କାରଣ କହିଛି । ନବ ଦାସଙ୍କୁ ଦେଖିଲେ ଗୋପାଳଙ୍କୁ ଚିଡଚିଡ୍ ଲାଗୁଥିଲା । ସଫା କରିବା ପାଇଁ ଚାହୁଁଥିଲା । ମୁଣ୍ଡକୁ ଗୁଳି ମାରୁଥିଲି, ହେଲେ ଛାତିରେ ବାଜିଲା ।

ଗୋପାଳ ଜେରା ବେଳେ ଏମିତି ବି କହିଛି ଯେ, ରାଜ୍ୟ ସରକାରଙ୍କୁ କିଛି ନେତା ବଦନାମ କରୁଛନ୍ତି । ଲୋକଙ୍କ ଦୁଃଖ ବୁଝିବା ବଦଳରେ ଏହି ନେତାମାନେ ସେମାନଙ୍କ ଦୁଃଖ ପାଲଟି ଯାଉଛନ୍ତି । ଲୋକଙ୍କୁ ଆତଙ୍କିତ କରିବା ସହ ନିର୍ଯାତନା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ ମଧ୍ୟ ଜଣେ ଥିଲେ । ସେଥିପାଇଁ ସେ ନବ ଦାସଙ୍କୁ ହତ୍ୟା କଲେ ବୋଲି କ୍ରାଇମବ୍ରାଞ୍ଚକୁ ଜେରା ବେଳେ କହିଥିବା କୁହାଯାଉଛି ।

ଗୋପାଳଙ୍କ ପକେଟରେ ଯେଉଁ କାଗଜ ରହିଥିଲା, ସେଥିରେ ସେ ଏସବୁ କଥା ଲେଖିଥିବା କ୍ରାଇମବ୍ରାଞ୍ଚକୁ କହିଥିବା ସୂଚନା ମିଳିଛି । ନବ ଦାସଙ୍କ ସହିତ ତାଙ୍କର କୌଣସି ଶତ୍ରୁତା ନଥିଲା, ହେଲେ ସେ ତାଙ୍କୁ ଭଲ ପାଉନଥିବା କ୍ରାଇମବ୍ରାଞ୍ଚକୁ କହିଥିବା କୁହାଯାଉଛି । ନବ ଦାସଙ୍କୁ ହତ୍ୟା କରିବା ପାଇଁ ଗତ ୪ ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲା । ଶେଷରେ ଗତ ୨୯ ତାରିଖ ରବିବାର ଦିନ ସେ ନବ ଦାସଙ୍କୁ ହତ୍ୟା କରିଥିଲା ।