ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି : ଆଉ ବର୍ଷେ ୯ ମାସ ବଢିଲା ଟ୍ରିବ୍ୟୁନାଲ ଅବଧି

102

କନକ ବ୍ୟୁରୋ : ପୁଣି ବଢିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ । ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ଆଉ ବର୍ଷେ ୯ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳଶକ୍ତି ମନ୍ତ୍ରାଳୟର ସୂଚନା ଅନୁସାରେ ଟ୍ରିବ୍ୟୁନାଲଙ୍କ ଅବଧିକୁ ମାର୍ଚ୍ଚ ୧୧, ୨୦୨୩ରୁ ଡିସେମ୍ବର ୨୪ ତାରିଖ ୨୦୨୪ ଯାଏଁ ବୃଦ୍ଧି କରାଯାଇଛି । ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଓଡିଶା ଓ ଛତିଶଗଡ ସରକାର ।

କରୋନା କାଳରେ ଶୁଣାଣି ପ୍ରଭାବିତ ହୋଇଥିବାରୁ ଟ୍ରିବୁନାଲର ଅବଧି ତିନି ବର୍ଷ ବଢାଇବାକୁ ଉଭୟ ରାଜ୍ୟ ଚିଠିରେ ଅନୁରୋଧ କରିଥିଲେ । ବ୍ୟାପକ ବିଚାର ବିମର୍ଶ ପରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଅବଧିକୁ ଏକ ବର୍ଷ ୯ ମାସ ବଢାଇଛନ୍ତି କେନ୍ଦ୍ର ସରକାର । ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ମାର୍ଚ୍ଚରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା । ପ୍ରଥମ ତିନି ବର୍ଷର ଅବଧିରେ ଟ୍ରିବ୍ୟୁନାଲ ଜଳ ବିବାଦ ମାମଲାର ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନଥିଲା । ୨୦୨୧ରେ ପୁଣି ଥରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା । ଯାହାକି ଚଳିତ ମାସ ୧୧ରେ ଶେଷ ହୋଇଥିଲା ।