ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ନିର୍ଣ୍ଣାୟକ ଲଢେଇ : ମ୍ୟାଚ ବିଜୟ ସହ ସିରିଜ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

162

କନକ ବ୍ୟୁରୋ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ର ନିର୍ଣ୍ଣାୟକ ଲଢେଇ ଆଜି ଚେନ୍ନାଇରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ସିରିଜ୍ ଏବେ ୧-୧ରେ ବରାବର ରହିଛି । ତେଣୁ ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି ।

ଅର୍ଥାତ୍ ଯେଉଁ ଦଳ ମ୍ୟାଚ୍ ଜିତିବ, ସେହି ଦଳ ସିରିଜ୍ ହାତେଇବ । ଭାରତ ପ୍ରଥମ ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ୧୦ ୱିକେଟରେ ଲଜ୍ଜାଜନକ ଭାବେ ହାରିଥିଲା ରୋହିତଙ୍କ ଟିମ୍ । ପ୍ରଥମ ଦୁଇଟି ମ୍ୟାଚରେ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ ଟିମଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର । ସୂର୍ଯ୍ୟକୁମାର ଯାଦବ ଉଭୟ ମ୍ୟାଚରେ ପ୍ରଥମ ବଲରେ ହିଁ ଷ୍ଟାର୍କଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ ।

ଖରାପ ପ୍ରଦର୍ଶନ ସତ୍ୱେ ଅଧିନାୟକ ରୋହିତଙ୍କ ଭରସା ସୂର୍ଯ୍ୟକୁମାରଙ୍କ ଉପରେ କାଏମ ରହିଛି । ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଭାରତକୁ ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ପଡ଼ିବ । ଆଜି ଭାରତ ତିନିଜଣ ସ୍ପେଶାଲିଷ୍ଟ ପେସରଙ୍କ ସହ ମଇଦାନକୁ ଓହ୍ଲାଇପାରେ । ଅନ୍ୟପଟେ ଇନଫର୍ମ କଙ୍ଗାରୁ ଟିମ୍ ଆଉଏକ ସହଜ ବିଜୟ ସହ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି ।

ସମ୍ଭାବ୍ୟ ଭାରତୀୟ ୧୧ : ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ୧୧ : ଡେଭିଡ୍‌ ୱାର୍ଣ୍ଣର, ଟ୍ରାଭିସ୍‌ ହେଡ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ୍‌ ମାର୍ଶ, ଆଲେକ୍ସ କ୍ୟାରି, କାମେରନ ଗ୍ରିନ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କସ ‌ଷ୍ଟାଇନିସ୍‌, ସିନ୍‌ ଆବୋଟ୍‌/ଅଷ୍ଟନ ଅଗର/ନାଥନ ଇଲିସ୍‌, ମିଚେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା।