୨୦୨୪ ପାଇଁ ସମ୍ଭାବ୍ୟ ମେଣ୍ଟ ନେଇ ଓଡିଶା ଆସିଲେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ

114

କନକ ବ୍ୟୁରୋ : ତିନି ଦିନିଆ ଓଡିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ମଣରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ମମତା ମାନସିକ ପୂଜା କରିବେ ବୋଲି ସୂଚନା ରହିଛି । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁରୀରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ସିପସରୁବାଲି ମୌଜାରେ ୫ ଏକର ଜମିରେ ପଶ୍ଚିମବଙ୍ଗ ସରକାର ଲାଗି ଏକ ଗେଷ୍ଟହାଉସ ନିର୍ମାଣ ହେବାର ଅଛି ।

ଏହି ଜମିକୁ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଭିତି ପ୍ରସ୍ତର ସ୍ଥାପନ କରିବେ ମମତା । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ । ରାଜ୍ୟ ରାଜନୀତିରେ ଦବଦବା ଜାହିର କରିଥିବା ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ଜାତୀୟ ରାଜନୀତିକୁ ପ୍ରଭାବିତ କରିବା ଆଶା ରହିଛି ।

ମୋଦୀ ବିରୋଧୀ ଭାବେ ବେଶ ଜଣାଶୁଣା ମମତା । କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତା ରକ୍ଷା କରି ଆସୁଛି ବିଜେଡି । କେସିଆରଙ୍କ ନେତୃତ୍ୱରେ ଏକାଠି ହେଉଥିବା ମୋଦୀ ବିରୋଧୀ ମେଂଟ ଠାରୁ ବି ଦୂରେଇ ରହିଛନ୍ତି ନବୀନ । ତେଣୁ ନବୀନଙ୍କୁ ସାଙ୍ଗରେ ନେଇ ୨୦୨୪ ପାଇଁ ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତ କରିପାରନ୍ତି ମମତା । ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଓଡିଶା ଗସ୍ତ ଉପରେ ଏବେ ସମସ୍ତଙ୍କ ନଜର ଅଟକି ରହିଛି ।