ମୁଣ୍ଡବ୍ୟଥା କରୁଛି ମହାନଦୀର ଅଶାନ୍ତ ପାଣି । ଜଙ୍ଗଲ ନଦୀ ଗର୍ଭକୁ ଚାଲିଗଲାଣି, ରାମନଗର ପଞ୍ଚାୟତବାସୀଙ୍କ ଚିନ୍ତା ବଢିଲାଣି ।

178

କନକ ବ୍ୟୁରୋ : କୂଳ ଲଂଘୁଛି ନଦୀ । ନଦୀରେ ଆସୁଥିବା ବଡବଡ ଲହଡି ଏବଂ ଜୁଆର ମାଡରେ କ୍ଷତିଗ୍ରସ୍ତ ହେଉଛି ଶହ ଶହ ହେକ୍ଟର କାଜୁ ଜଙ୍ଗଲ ସାଙ୍ଗକୁ ଉପକୂଳ ଅଞ୍ଚଳ । ମୃତିକା କ୍ଷୟ ହୋଇ ନଦୀ ଗର୍ଭକୁ ଚାଲିଯିବା ସହିତ ଗଛଲତା ମଧ୍ୟ ଲୀନ ହୋଇଯାଉଛି । ଉପକୂଳ ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ବନ୍ଧରେ ଜୁଆର ଏବଂ ଲହଡି ମାଡ ହୋଇ ନଷ୍ଟ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

କେନ୍ଦ୍ରାପଡା ମହାକାଳପଡା ବ୍ଲକ ରାମନଗର ପଂଚାୟତବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ମହାନଦୀ । ଏହି ପଂଚାୟତର ବାହାକୁଦ ଗାଁ ନିକଟରେ ବଙ୍ଗୋପସାଗରରେ ମହାନଦୀ ମିଶ୍ରଣ ହୋଇଛି । ଅଧିକାଂଶ ସମୟ ନଦୀ ଅଶାନ୍ତ ରହୁଥିବାରୁ ସମୁଦ୍ରରେ ଉଠୁଥିବା ଜୁଆର ଏବଂ ବଡ଼ ବଡ଼ ଲହଡ଼ି ଉପକୂଳ ଅଂଚଳରେ ଥିବା କାଜୁ ଜଙ୍ଗଲର ମୃ୍ତିକା କ୍ଷୟ କରୁଛି । ଫଳରେ ଗଛ ଗୁଡ଼ିକ ନଦୀର କରାଳ ଗର୍ଭରେ ମିଶିଯାଉଛି । ବାହାକୁଦ ଫେରିଘାଟ ବାମ ପାଶ୍ୱର୍ରୁ ଆରମ୍ଭ ହୋଇଥିବା କାଜୁ ଜଙ୍ଗଲ ବନବିହାରୀପୁର ଦେଇ ଖରିନାସୀ ନଦୀ ମୁହାଣ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟରୁ ଉର୍ଦ୍ଧ ପରିବ୍ୟାପ୍ତ ଉପକୂଳ ଅଂଚଳ ପ୍ରତି ଏବେ ବିପଦ ଦେଖାଦେଇଛି ।

କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ଏକ ନଦୀନାଳ ଘେରା ଅଂଚଳ ହୋଇଥିବା ବେଳେ ଉପକୁଳ ଅଂଳର ସୁରକ୍ଷା ପାଇଁ ବନ୍ଧବାଡ ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତଥାପି ନଦୀରେ ଆସୁଥିବା ଜୁଆର ଏବଂ ଲହଡି ମାଡରେ ସୁରକ୍ଷାବନ୍ଧ କ୍ଷତିଗ୍ରସ୍ତ ହେବା ସହିତ ଅନେକ ସମୟରେ ଲୁଣାପାଣି ଜନବସତି ଅଂଚଳକୁ ମାଡ଼ିଆସୁଛି । ବାହାକୁଦ ଫେରି ଘାଟର ବାମ ପାଶ୍ୱର୍ରେ ନିର୍ମାଣ ହୋଇଥିବା ବନ୍ଧ ଜୁଆର ଏବଂ ଲହଡି ମାଡରେ ଧୀରେ ଧୀରେ ଦୁର୍ବଳ ହେବା ସହିତ କ୍ଷତିଗ୍ରସ୍ତ ହେବାକୁ ଲାଗିଲାଣି । ଅନେକ ସ୍ଥାନରେ ବନ୍ଧରୁ ମାଟି ଧୋଇଯିବା ସହିତ ଘାଇ ସୃଷ୍ଟି ହେଉଛି । ଫଳରେ ନଦୀରେ ବନ୍ଧା ହେଉଥିବା ଡ଼ଙ୍ଗା ଗୁଡ଼ିକ କାଜୁ ଜଙ୍ଗଲରେ ଥିବା ନାଳ ଭିତରେ ଭାସୁଥିବା ଦେଖିବାକୁ ମିଳୁଛି ।

ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ମହାକାଳପଡ଼ା ବ୍ଳକର ରାମନଗର, ଖରିନାସି ପଂଚାୟତକୁ ସୁରକ୍ଷା ଦେଉଥିବା ଏହି କାଜୁ ଜଙ୍ଗଲ ଧୀରେ ଧୀରେ ନଦୀର କରାଳ ଗର୍ଭରେ ଲୀନ ହେବାକୁ ବସିଲାଣି । ଯାହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।