ବର୍ଷ ପରେ ବର୍ଷ ବିତୁଛି, କିନ୍ତୁ ବ୍ରିଜ ନିର୍ମାଣ ସରୁନି । ଏବେ ବି ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକ । 

346

କନକ ବ୍ୟୁରୋ : ୫ ବର୍ଷ ହେଲା ବୈତରଣୀ ନଦୀ ଉପରେ ନିର୍ମାଣ ଚାଲିଛି ପୋଲ । ବର୍ଷ ପରେ ବର୍ଷ ବିତିଗଲେ ବି ସରୁନି କାମ । ପୁରଣ ହେଉନି ସ୍ଥାନୀୟ ବାସିନ୍ଦାଙ୍କ ସ୍ୱପ୍ନ । ଫଳରେ ଆଜି ବି ବିପଦସଙ୍କୁଳ ଅବସ୍ଥାରେ ଡ଼ଙ୍ଗାରେ ନଦୀ ପାର ହେଉଛନ୍ତି ଲୋକ । ଏହି ପୋଲ ନିର୍ମାଣ ହେଲେ  ଉପକୃତ ହେବେ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରାୟ ୩୯ଟି ପଞ୍ଚାୟତର ଲୋକେ ।

ଅଧାଗଢା ପୋଲ.. ଅଧାରେ ସ୍ୱପ୍ନ । ଆଶା ଥିଲା ଏହି ସେତୁ ନିର୍ମାଣ ହେବ, ଯାତାୟତରେ ସୁବିଧା ହେବ । ଆଉ ବିପଦପୂର୍ଣ୍ଣ ନୌକା ଯାତ୍ରାରୁ ନିସ୍ତାର ମିଳିବ । ୫ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡ଼ିରହିଛି ଆମ୍ବୋ-ବାତୋ ବୈତରଣୀ ନଦୀ ପୋଲ । ୨୦୧୬ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୩୫ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ଏହି ସେତୁ ନିର୍ମାଣ କାର୍ଯ୍ୟ । ନଦୀର ଦୁଇ ପାଶ୍ୱର୍ର କିଛି ଅଂଶ ନିର୍ମାଣ କାମ ସରିଥିବା ବେଳେ ମଝି ଅଂଶ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଏପରିକି ପୋଲର ସମ୍ପୂର୍ଣ୍ଣ ଖମ୍ବ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି । ପୋଲ ନିର୍ମାଣ ସମ୍ପୂର୍ଣ୍ଣ ନହେବାରୁ ଡଙ୍ଗାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ଏହି ସେତୁ ନିର୍ମାଣ ହେଲେ ଉପକୃତ ହେବେ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାର ପ୍ରାୟ ୩୯ଟି ପଂଚାୟତର ଲୋକେ । ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟୁଥିବା ଆମ୍ବୋ ପଂଚାୟତର ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପାଇଁ ନୂତନ ଅଧ୍ୟାୟ ସୃଷ୍ଟି ହେବ । ଦୀର୍ଘ ଦିନର ଦାବି ପରେ ଆରମ୍ଭ ହୋଇଥିବା ଏହି ସେତୁଟି ଏବେ ସମ୍ପୁର୍ଣ୍ଣ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । କାରଣ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ଛୁ ମାରିଥିବା ବେଳେ ପୋଲ ନିର୍ମାଣ ସାମଗ୍ରୀ ଓ ଷ୍ଟିଲ ରଡ଼କୁ ସ୍ଥାନୀୟ ଲୋକେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ତେବେ ଦେଖିବାକୁ ବାକି ରହିଲା କେବେ ସରୁଛି ପୋଲ ନିର୍ମାଣ କାର୍ଯ୍ୟ । ଆଉ ସ୍ଥାନୀୟ ଲୋକଙ୍କୁ କେବେ ମିଳୁଛି ବିପଦପୂର୍ଣ୍ଣ ନୌକା ଯାତ୍ରାରୁ ମୁକ୍ତି ।