ମହାନଦୀ ପ୍ରସଙ୍ଗରେ ମତଦେବାକୁ ଶହ ଶହ ଲୋକଙ୍କ ଭିଡ: ସଚିବାଳୟର ତୃତୀୟ ମହଲା ପାଲଟିଲା ସାହାଣ ମେଲା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସଚିବାଳୟର ତୃତୀୟ ମହଲାରେ ସାହାଣ ମେଲା । ସମସ୍ତଙ୍କ ପାଇଁ ଖୋଲିଯାଇଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଏକ ପ୍ରସଙ୍ଗରେ ଲୋକଙ୍କ ପରାମର୍ଶ ନେବା ପାଇଁ ଖୋଲିଦେଇଛନ୍ତି ତୃତୀୟ ମହଲା ।

ଆଜି ଏଭଳି ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା ସଚିବାଳୟର ତୃତୀୟ ମହଲାରେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ମହାନଦୀ ପ୍ରସଙ୍ଗରେ ପ୍ରସ୍ତାବ ଓ ପରାମର୍ଶ ଦେବା ପାଇଁ ଧାଡି ଲଗାଇଥିଲେ ବିଭିନ୍ନ ବ୍ୟକ୍ତିବିଶେଷ, ସଂଗଠନ ଓ ରାଜନୈତିକ ସଂଗଠନ ।

ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣୁଥିଲେ, ଆଉ ୧୭ ତାରିଖର ନୂଆଦିଲ୍ଲୀ ବୈଠକରେ ଦୃଢ଼ ସ୍ୱରରେ ରାଜ୍ୟ ସ୍ୱରକୁ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଉଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ସାମ୍ବାଦିକମାନଙ୍କୁ ଏଭଳି ପ୍ରତିକ୍ରିୟା ଦେଉଥିଲେ ସଂଗଠନର ପ୍ରତିନିଧିମାନେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଧାରଣ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡ଼ିକୁ ମହାନଦୀ ପ୍ରସଙ୍ଗରେ ପରାମର୍ଶ ଦେବା ପାଇଁ ଆହ୍ୱାନ କରିଥିଲେ । ଏବେ ଦେଖିବାର କଥା ହେଉଛି, ମହାନଦୀ ପ୍ରସଙ୍ଗରେ ପ୍ରଥମେ କୋଣଠେସା ହୋଇଯାଇଥିବା ସରକାର ଓଡ଼ିଶାର ପକ୍ଷକୁ କିଭଳି ଭାବେ ଦିଲ୍ଲୀରେ ଉପସ୍ଥାପନ କରୁଛନ୍ତି । ତୃତୀୟ ମହଲାର ସ୍ଥିତି କିଭଳି ଥିଲା ଦେଖନ୍ତୁ ଏହି ଭିଡିଓରେ :