ଆଉ ଏକ ସ୍ଥାନର ନାଁ ପରିବର୍ତ୍ତନ କଲେ ମଧ୍ୟ ପ୍ରଦେଶ ସରକାର: ନସରୁଲ୍ଲାଗଞ୍ଜର ନାଁ ହେବ ଭୈରୁନ୍ଦା

199

କନକ ବ୍ୟୁରୋ: ଆଉ ଏକ ସ୍ଥାନର ନାଁ ପରିବର୍ତ୍ତନ କଲା ମଧ୍ୟପ୍ରଦେଶର ଶିବରାଜ ସରକାର । ସିହୋର ଜିଲ୍ଲାର ନସରୁଲ୍ଲାଗଞ୍ଜର ନାଁ ପରିବର୍ତ୍ତନ କରିଦିଆଯାଇଛି । ଏବେ ଏହି ସ୍ଥାନର ନାଁ ଭୈରୁନ୍ଦା ନାଁରେ ପରିଚିତ ହେବ । ଏହାକୁ ନେଇ ମଧ୍ୟ ପ୍ରଦେଶର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ରଥମେ ମଧ୍ୟ ପ୍ରଦେଶ ସରକାର ନସରୁଲ୍ଲାଗଞ୍ଜର ନାଁ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ।

ନସରୁଲ୍ଲାଗଞ୍ଜ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ବାଚନୀ କ୍ଷେତ୍ର ବୁଧନୀ ଅନ୍ତର୍ଗତ । କିଛିଦିନ ପୂର୍ବରୁ ଶିବରାଜ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଥିଲେ । ଏହା ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ହୋସଙ୍ଗାବାଦର ନାଁ ପରିବର୍ତ୍ତନ କରି ନର୍ମଦାପୁରମ କରିଥିଲେ, ଆଉ ଭୋପାଳର ଇସ୍ଲାମାବାଦର ନାଁ ପରିବର୍ତ୍ତନ କରି ଜଗଦୀଶପୁର କରିଥିଲେ ।

ମଧ୍ୟପ୍ରଦେଶରରେ ଏହି ବର୍ଷ ଭୋପାଳର ହବିବଗଞ୍ଜ ରେଲୱେ ଷ୍ଟେସନର ନାଁ ପରିବର୍ତ୍ତନ କରାଯାଇ କମଲାପତି ରେଲୱେ ଷ୍ଟେସନ କରାଯାଇଛି । ସେହିପରି କୁହାଯାଇଛି ଜବଲପୁରର ଡୁମାନା ଏୟାରପୋର୍ଟର ନାଁ ରାଣୀ ଦୁର୍ଗାବତୀ ରଖିବାକୁ ମଧ୍ୟପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।