କୋଟିଆକୁ ନେଇ ତେଜିଲା ରାଜନୀତି । ବିଜେଡି କହିଲା, ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପିର ଜବାବ, ଗୋ ବ୍ୟାକ ଆନ୍ଧ୍ର, ଆମର ସ୍ପଷ୍ଟ ଷ୍ଟାଣ୍ଡ ।

231

କନକ ବ୍ୟୁରୋ : କୋଟିଆକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ତେଜିଛି ରାଜନୀତି । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ଥିଲା । ଗସ୍ତରେ କୌଣସି ଆନ୍ତରିକତା ନଥିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ । କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି । ଯଦି ଆନ୍ତରିକତା ଥାନ୍ତା ତେବେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କେନ୍ଦ୍ର ଏଠି ହସ୍ତକ୍ଷେପ କରିଥାନ୍ତେ ଓ ଦୁଇ ରାଜ୍ୟ ଭିତରେ ଥିବା ସୀମା ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତେ । କିନ୍ତୁ ସେମିତି କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କୋଟିଆ ବିକାଶ ପାଇଁ ସବୁ ପ୍ରକାର ବାଟ ଖୋଲି ଦେଇଛନ୍ତି,୧୬୦ କୋଟି ପ୍ୟାକେଜ ଦେଇଛନ୍ତି ।

ବିଜେଡି ସହ ସ୍ୱର ମିଳାଇଛି କଂଗ୍ରେସ । କୋଟିଆକୁ ଧର୍ମେନ୍ଦ୍ରଙ୍କ ଗସ୍ତକୁ କଡ଼ା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧର୍ମେନ୍ଦ୍ର ବାବୁ ରାଜନୀତି କରିବାକୁ କୋଟିଆ ଯାଇଥିଲେ ସେ କେନ୍ଦ୍ର ମନ୍ତ୍ରୀ ହିସାବରେ ଯାଇ ନଥିଲେ। ମୁଁ ତାଙ୍କୁ ଅନୁରୋଧ କରିବି ସେ କେନ୍ଦ୍ରମନ୍ତ୍ରୀ ହିସାବରେ ହସ୍ତକ୍ଷେପ କରନ୍ତୁ। ଦୁଇଟି ରାଜ୍ୟ ଭିତରେ ଯେତେବେଳେ ବିବାଦ ହୁଏ କେନ୍ଦ୍ରର କିଛି ଦାୟିତ୍ଵ ଥାଏ। ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବସେଇ ସମାଧାନ କରୁନି କେନ୍ଦ୍ର ସରକାର। ଧର୍ମେନ୍ଦ୍ର ବାବୁ ଯାଆନ୍ତୁ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ କୁହନ୍ତୁ। ସେ ଡାକନ୍ତୁ ଦୁଇ ରାଜ୍ୟକୁ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ପକ୍ଷର ଅବହେଳା ରହୁଛି।

ଗୋଟିଏ ପଟେ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ କଟାକ୍ଷ କରିଥିବା ବେଳେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ଆନ୍ଧ୍ର ଗୋ ବ୍ୟାକ୍ ବିଜେପିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦ୍ୱିମତ କିମ୍ବା ଦ୍ୱନ୍ଦ୍ୱ ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଜାଗାରେ ଓଡିଶାର ମୁଖ୍ୟମନ୍ତ୍ରୀ ଯଦି ଉତ୍କଳ ଦିବସ କୋଟିଆରେ ପାଳନ କରିଥାନ୍ତେ ଆମେ ସ୍ୱାଗତ କରିଥାନ୍ତୁ । କିନ୍ତୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିନେ ବି କୋଟିଆ ଗଲେ ନାହିଁ, ଏହା ଅତ୍ୟନ୍ତ ଦୁଃଖଦାୟକ କଥା । କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପାଟିରେ ବିଜେଡ଼ି ବିବୃତ୍ତି ଦିଆକରାଇଲା । ମୁଖ୍ୟମନ୍ତ୍ରୀ ଏବଂ ନରସିଂହ ମିଶ୍ର ଉଭୟ ବିଜେଡ଼ି ଓ କଂଗ୍ରେସର ମିଳିତ ପ୍ରେସମିଟ୍ କରି କୋଟିଆ ଉପରେ ତାଙ୍କର ଷ୍ଟାଣ୍ଡ ସ୍ପଷ୍ଟ କରନ୍ତୁ । ୬୦ ଦଶକରେ ହୋଇଥିବା ମକଦ୍ଦମା ଆଜି ମଧ୍ୟ ବିଚାରାଧୀନ ଅଛି । ରାଜ୍ୟ ସରକାର କୋଟିଆକୁ ବଞ୍ଚାଇବା ପାଇଁ କୌଣସି ସ୍ପଷ୍ଟ ତଥ୍ୟ ଏ ପର୍ଯ୍ୟନ୍ତ ରଖିପାରିଲେ ନାହିଁ ।

ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଓଡ଼ିଆ, ତାପରେ କେନ୍ଦ୍ରମନ୍ତ୍ରୀ । ଓଡିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଆମକୁ କହିବାକୁ ପଡ଼ିନଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଏବଂ  ୧ ଏପ୍ରିଲ  ୨୦୨୩ରେ ଉତ୍କଳ ଦିବସ ଦିନ ପୁଣି କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି ।