ବିଜେପି ଜାରିକଲା ‘କଂଗ୍ରେସ ଫାଇଲ୍ସ’, ୪.୮୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

400

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ତରଫରୁ ରବିବାର ଦିନ କଂଗ୍ରେସ ଉପରେ ଦୁର୍ନୀତି ଅଭିଯୋଗ ଆଣିଛି । ଏନେଇ ବିଜେପି ପକ୍ଷରୁ ‘କଂଗ୍ରେସ ଫାଇଲ୍ସ’ ନାମରେ ଏକ ସିରିଜ୍ ଆରମ୍ଭ କରିଛି । ଏହି ଭିଡିଓ ସିରିଜ ମାଧ୍ୟମରେ ବିଜେପି କଂଗ୍ରେସ ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛି । ପ୍ରଥମ ସିରିଜରେ ବିଜେପି କଂଗ୍ରେସ ଶାସନ ସମୟରେ ହୋଇଥିବା ଦୁର୍ନୀତି ଉପରେ କହିଛି । ଅଭିଯୋଗ ମୁତାବକ ୟୁପିଏ ସରକାର ସମୟରେ ୪.୮୨ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ।

ବିଜେପି ତରଫରୁ ଜାରି ଭିଡିଓରେ କୁହାଯାଇଛି କଂଗ୍ରେସ ତାର ଶାସନ କାଳରେ ଜନତାଙ୍କ କଷ୍ଟ ଉପାର୍ଜିତ ଧନରୁ ୪.୮୨ଲକ୍ଷ କୋଟି ଟଙ୍କା ଲୁଟ୍ କରିଛି । ଏହି କ୍ରମରେ କୋଇଲାରୁ ନେଇ ୨ଜି ଓ କମନୱେଲ୍ଥ ଦୁର୍ନୀତି ପର୍ଯ୍ୟନ୍ତ ଏକ ଚିଠା କରିଛି ବିଜେପି । ଏହାସହ କଂଗ୍ରେସ ସରକାର ସମୟରେ ଯେତେ ଟଙ୍କାର ଦୁର୍ନୀତି ହୋଇଛି ସେଥିରେ ଦେଶର ସୁରକ୍ଷା ଠାରୁ ନେଇ ବିକାଶ ପର୍ଯ୍ୟନ୍ତ ଅନେକଗୁଡିଏ କାମ ହୋଇପାରିଥାନ୍ତା ବୋଲି ବିଜେପି କହିଛି ।

ବିଜେପି ଏହି ଦୁର୍ନୀତି ଟଙ୍କାରେ କଣ କଣ ହୋଇପାରିଥାନ୍ତା ତାର ମଧ୍ୟ ଏକ ଚିଠା ପ୍ରସ୍ତୁତ କରିଛି । ଏଥିରେ କୁହାଯାଇଛି କି କଂଗ୍ରେସ ସରକାର ସମୟରେ ହୋଇଥିବା ଦୁର୍ନୀତି ଟଙ୍କାରେ ୨୪ଟି ଆଇଏନଏସ୍ ବିକ୍ରାନ୍ତ, ୩୦୦ଟି ରାଫାଲ ବିମାନ ଓ ୧ହଜାର ମଙ୍ଗଲ ମିଶନ କରାଯାଇପାରିଥାନ୍ତ । ବିଜେପି କହିଛି କଂଗ୍ରେସର ଦୁର୍ନୀତିର ଦାମ୍ ଦେଶବାସୀଙ୍କୁ ଭୋଗିବାକୁ ପଡୁଛି । ଏହି ଟଙ୍କାରେ ଦେଶର ପ୍ରଗତି ସହ ଉନ୍ନତି ହୋଇପାରିଥାନ୍ତା । କଂଗ୍ରେସ ପାଇଁ ତାହା ହୋଇପାରି ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି କଂଗ୍ରେସ ଶାସିତ ଶେଷ ୧୦ ବର୍ଷର ଚର୍ଚ୍ଚା ଏହି ଭିଡିଓରେ କରିଛି । ଏଥିରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ସିଇଓଙ୍କୁ ଲାଞ୍ଚ ଦେବା କଥା ଅଭିଯୋଗ ହୋଇଛି । ଏହାସହ ୧ଲକ୍ଷ ୮୬ ହଜାର କୋଟି ଟଙ୍କାର କୋଇଲା ଦୁର୍ନୀତି, ୧କୋଟି ୭୬ଲକ୍ଷ କୋଟି ଟଙ୍କାର ୨ଜି ସ୍ପେକ୍ଟ୍ରମ ଦୁର୍ନୀତି ବାବଦରେ ମଧ୍ୟ ଭିଡିଓରେ ଦେଖାଯାଇଛି ।

ଏହାସହ ୧୦ହଜାର କୋଟି ଟଙ୍କାର ମନରେଗା ଦୁର୍ନୀତି, ୭୦ ହଜାର କୋଟି ଟଙ୍କାର କମନୱେଲଥ ଦୁର୍ନୀତି କଥା କହିବା ସହ ବିଜେପି ଅଭିଯୋଗ ଆଣିଛି କି କଂଗ୍ରେସ ସରକାର ଏକ ଦୁର୍ନୀତିର ସରକାର ହୋଇସାରିଥିବା ବେଳେ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚୁପ୍ ହୋଇ ବସିଥିଲେ ।