ଗୁପ୍ତଚର ମାମଲାରେ ଅଡୁଆରେ ଦିଲ୍ଲୀ ସରକାର, ସିିବିଆଇ ଯାଂଚ ପାଇଁ ଅନୁମତି ଦେଲେ ଉପ ରାଜ୍ୟପାଳ

109

କନକ ବ୍ୟୁରୋ : ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ବିଜେପି ଉପରେ ଗୁପ୍ତଚରଭାବେ ଖବର ନେଉଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ଉପ ରାଜ୍ୟପାଳ ବିନୟ ସକସେନା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ ଆଧାରରେ ମାମଲା ରୁଜୁ କରିବାକୁ ସିବିଆଇକୁ ଅନୁମତି ଦେଇଛନ୍ତି । ସିସୋଦିଆଙ୍କ ସମେତ ମୋଟ ୬ ଜଣ ଲୋକଙ୍କ ବିରୋଧରେ ଏହି ମାମଲା ରୁଜୁ ହେବ । ସେମାନଙ୍କ ମଧ୍ୟରେ ଜଣେ ଆଇଏଏସ ଅଧିକାରୀ ମଧ୍ୟ ରହିଛନ୍ତି ।

ଅଭିଯୋଗ ମୁତାବକ ଆମ୍ ଆଦମୀ ପାର୍ଟି ସରକାର ୨୦୧୫ ମସିହାରେ ସରକାରକୁ ଆସିବା ପରେ ଭିଜିଲାନ୍ସ ବିଭାଗ ମାଧ୍ୟମରେ ଏକ ଫିଡବ୍ୟାକ୍ ୟୁନିଟ୍ ପ୍ରସ୍ତୁତ କରିଥିଲା । ଏହାର ବ୍ୟବହାର ରାଜନୈତିକ ବିରୋଧୀମାନଙ୍କ ସଂପର୍କରେ ଖବର ସଂଗ୍ରହ କରିବାକୁ କରାଯାଇଥିଲା । ଉପ ରାଜ୍ୟପାଳଙ୍କ ଅଫିସ ମୁତାବକ ଏହି ଫିଡବ୍ୟାକ୍ ୟୁନିଟ ନେତମାନଙ୍କ ଉପରେ ଗୁପ୍ତଚରୀ କରିବାକୁ କରାଯାଇଥିଲା ।

ଏହି ମାମଲାକୁ ନେଇ ଆପ୍ ବିରୋଧରେ ଦିଲ୍ଲୀରେ ଆଜି ବିଜେପି ପ୍ରଦର୍ଶନ କରୁଛି । ବିଜେପି ଅଭିଯୋଗ କରିଛି କି ଏହି ଫିଡବ୍ୟାକ ୟୁନିଟକୁ ଆପ୍ ସରକାର ୧କୋଟି ଟଙ୍କା ଦେଇଛି । ଏହି ଫଣ୍ଡର ନାମ ସିକ୍ରେଟ ସର୍ଭିସ ଫଣ୍ଡ ରଖାଯାଇଥିଲା । ଫିଡବ୍ୟାକ ୟୁନିଟର ମୁଖ୍ୟଭାବେ ଅର୍ଦ୍ଧ ସାମରିକ ବାହୀନିର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖାଯାଇଥିଲା । ବିଜେପି ଦାବି କରିଛି କି ଏହି ଫିଡବ୍ୟାକ୍ ୟୁନିଟ ପାଇଁ ଯାହା ଖର୍ଚ୍ଚ କରାଯାଇଛି ତାହା ମନୀଷ ସିସୋଦିଆଙ୍କ ଠାରୁ ଆଦାୟ କରାଯାଉ ।

ଉପ ରାଜ୍ୟପାଳଙ୍କ କହିବା ମୁତାବକ ଏସବୁ ବାବଦରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବଗତ ଥିଲେ । ଏହି ୟୁନିଟ୍ ୨୦୧୬ ରୁ କାମ କରିବା ଆରମ୍ଭ କରିଥିଲା । ଏହି ୟୁନିଟ ୭ମାସ କାମ କରିବା ପରେ ଭିଜିଲାନ୍ସ ବିଭାଗର ଅଭିଯୋଗକ୍ରମେ ଏହି ୟୁନିଟକୁ ଭଙ୍ଗ କରାଯାଇଥିଲା ।