ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା : ୪୮ଘଣ୍ଟା ଭିତରେ ନିଲମ୍ବିତ ହେବେ ୬ବନ କର୍ମଚାରୀ, ପିସିସିଏଫଙ୍କ ସୂଚନା

261

କନକ ବ୍ୟୁରୋ : ଆଠଗଡ ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ମାମଲା । ଗିରଫ ହୋଇଥିବା ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଗିରଫର ୪୮ଘଣ୍ଟାରେ କର୍ମଚାରୀମାନେ ନିଲମ୍ବିତ ହେବେ । ଏ ନେଇ ପିସିସିଏଫ୍ ସୂଚନା ଦେଇଛନ୍ତି । ତେବେ ରେଞ୍ଜରଙ୍କୁ ଛାଡି ଅନ୍ୟ ଅଭିଯୁକ୍ତଙ୍କୁ ଡିଏଫଓ ନିଲମ୍ବିତ କରିବେ । ରେଞ୍ଜରଙ୍କୁ ନିଲମ୍ବନ ପାଇଁ ଡିଏଫଓ ସୁପାରିଶ କରିବେ ।

ବଡମ୍ବା ରେଞ୍ଜର ସୁବ୍ରତ ବେହେରା, ଦୁଇ ଜଣ ଫରେଷ୍ଟର ମନୋଜ ଦାସ ଓ ଦୀପକ ସେଠୀ, ୩ ଜଣ ଫରେଷ୍ଟଗାର୍ଡ କୁନା ବେହେରା, ପ୍ରଭାତ ପ୍ରଧାନ, ସୁନାୟକ ମାଝିଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଅନ୍ୟ ୮ଜଣଙ୍କୁ ବ୍ୟକ୍ତିଗତ ମୁଚାଳିକାରେ ପୁଲିସ ଛାଡିଛି । ଆବଶ୍ୟକ ପଡିଲେ ଯେ କୌଣସି ସମୟରେ ସେମାନେ ପୁଲିସ ନିକଟରେ ହାଜର ହୋଇ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କୁହାଯାଇଛି । ଯଦି ସେମାନଙ୍କ ବିରୋଧରେ କୌଣସି ତଥ୍ୟ ପ୍ରମାଣ ମିଳେ ତାହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଆଠଗଡ଼ ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଜାନୁଆରି ୩୧ ତାରିଖରେ ବଡ଼ମ୍ବା ଓ ହିନ୍ଦୋଳ ସୀମାବର୍ତ୍ତୀ ମାଣିଆବନ୍ଧ ବିଟ୍‌ ଅନ୍ତର୍ଗତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା । ହାତୀକୁ ଗୁଳିକରି ହତ୍ୟା ପରେ ଦାନ୍ତକୁ କାଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ବନବିଭାଗ ଏହି ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆଠଗଡ଼ ଡିଏଫ୍‌ଓଙ୍କ ପକ୍ଷରୁ ସ୍ବତନ୍ତ୍ର ସ୍କ୍କାଡ ଗଠନ କରାଯାଇଥିଲା । ବନବିଭାଗ ହାତୀ ଶିକାର ଘଟଣାରେ ତଦନ୍ତ କରି ବଡ଼ମ୍ବା ଥାନା ସାତଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କ ସମେତ ୪ଜଣଙ୍କୁ ଅଟକ ରଖିଥିଲା ।

ତେବେ ଧନେଶ୍ବରଙ୍କୁ ପଚରାଉଚୁରା ପରେ ଛାଡିଦେଇଥିଲା । କିନ୍ତୁ ପୁଣି ତାଙ୍କୁ ଉଠାଇ ଆଣି ଆଠଗଡ ରେଞ୍ଜ ତିଗିରିଆ ୱାଚ ଟାଓ୍ୱର ନିକଟରେ ରଖି ଜେରା କରାଯିବା ସହିତ ଥାର୍ଡ ଡିଗ୍ରି ଦିଆଯାଇଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା ।