ସ୍ତ୍ରୀର ସୁରକ୍ଷା ପାଇଁ ତତ୍ପର ବୃଦ୍ଧ ସ୍ୱାମୀ । ଡହ ଡହ ଖରାରେ ଚାଲୁଛନ୍ତି ବାଟ । ଅଧାବାଟରେ ନିଜ ପାଦରୁ ଚପଲ କାଢ଼ି ବଢ଼ାଇ ଦେଉଛନ୍ତି ସ୍ୱାମୀ ।

145

କନକ ବ୍ୟୁରୋ : ବୈବାହିକ ଜୀବନରେ ସାମାନ୍ୟ ଝଡ଼ ଉଠିଲେ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି ଯିବାର ଶହ ଶହ ଉଦାହରଣ ରହିଛି । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀ, ସ୍ୱାମୀଙ୍କୁ ଛାଡ଼ି ଯିବାର ଅନେକ କାହାଣୀ ରହିଛି । କିନ୍ତୁ ଏଭଳି ଏକ ସମୟରେ ନୀଳଗିରିରୁ ଆସିଥିବା ଏକ ଦମ୍ପତିଙ୍କ କାହାଣୀ ସମସ୍ତଙ୍କ ହୃଦୟ ଛୁଇଁ ଯାଉଛି । କ୍ୟାମେରାରେ କଏଦ ହୋଇଥିବା ଏକ ଚିତ୍ରରେ ରହିଛି ଏ ସମ୍ପର୍କର କଥା । ଏକ ଅତୁଟ ବନ୍ଧନର କାହାଣୀ । ଯାହାଙ୍କୁ ସାତ ଜନ୍ମର ସାଥୀ ହୋଇରହିବାର ପ୍ରତିଶ୍ରୁତି ଦେଇଥିଲେ ।

ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲେ । ସାମାନ୍ୟ ଖରାଟିକିଏ ପାଇଁ କେମିତି ଏକୁଟିଆ ଛାଡ଼ି ଦେଇଥାନ୍ତେ । ଖରା ହେଉ କି ବର୍ଷା, ସୁଃଖ ହେଉ କି ଦୁଖ । ସବୁ ସମୟରେ ପତ୍ନୀ ପାଖରେ ଠିଆ ହେଉଥିବା ଜଣେ ସ୍ୱାମୀଙ୍କ କାହାଣୀ । ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର । ଡହ ଡର ଖରାରେ ବୃଦ୍ଧ ଦମ୍ପତି ଗୋଟିଏ ବାଡ଼ିରେ ଧରାଧରି ହୋଇ ଘରକୁ ଫେରୁଛନ୍ତି । ଟାଣ ଖରାରେ ବାଟ ଚାଲୁଥିବା ପତ୍ନୀଙ୍କ ପାଦରେ କଷ୍ଟ ହେଉଥିବା ଦେଖି, ନିଜ ପାଦରୁ ଚପଲ କାଢ଼ି ସ୍ତ୍ରୀଙ୍କ ଆଡକୁ ବଢ଼ାଇ ଦେଉଛନ୍ତି । ନୀଳଗିରି ବ୍ଳକ୍୍ ବାହ ବନ୍ଧ ଗାଁର ଏହି ବୃଦ୍ଧ ଦମ୍ପତି ଚାଲି ଚାଲି ୭ କିଲୋମିଟର ଦୂର ନୀଳଗିରି ମେଡ଼ିକାଲକୁ ଆସିଥିଲେ । ଦିନ ପ୍ରାୟ ୧୨ଟା ସମୟରେ ଡାକ୍ତରଙ୍କୁ ଦେଖାଇବା ପରେ, ଚାଲି ଚାଲି ଫେରୁଥିଲେ । ତେବେ ତାତିରେ ନିଜ ପାଦ ପଛେ ଫୁଟି ଯାଉ, କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ କଷ୍ଟ ନହେଉ । ଏହି ଭାବ ନେଇ ପରିଣତ ବୟସରେ ଭଲ ପାଇବା ଅଜାଡ଼ି ଦେଇଛନ୍ତି ବ୍ୟକ୍ତି ଜଣକ । ଦେହରେ ବଳ ନାହିଁ କିନ୍ତୁ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବା ସହିତ, ବାଡ଼ିର ସାହାରାରେ ଏକାଠି ବାଟ ଚାଲିଛନ୍ତି ।