ଦଣ୍ଡନାଚ ବେଳେ ନଗ୍ନତାକୁ ନେଇ ତେଜୁଛି ବିବାଦ । ପ୍ରବଳ ବିରୋଧ ପରେ ବ୍ରହ୍ମପୁର ଆଙ୍କୁଳିରେ ବନ୍ଦ ହେଲା, ନିଶା ମହାରଣାଙ୍କ କାର୍ଯ୍ୟକ୍ରମ ।

780

କନକ ବ୍ୟୁରୋ: ଦଣ୍ଡନାଚ ବେଳେ ନଗ୍ନତାକୁ ନେଇ ତେଜୁଛି ବିବାଦ । ପ୍ରବଳ ବିରୋଧ ପରେ ବ୍ରହ୍ମପୁର ଆଙ୍କୁଳିରେ ବନ୍ଦ ହୋଇଛି ନିଶା ମହାରଣାଙ୍କ କାର୍ଯ୍ୟକ୍ରମ । ଗତକାଲି ଚର୍ଚ୍ଚିତ କଳାକାର ନିଶା ମହାରଣା ଆଙ୍କୁଳି ଯିବାର ଥିଲା । ଏମିତି କି ନିଶା ମହାରଣା ଭିଡିଓ ଜାରି କରି ସୂଚନା ଦେଇଥିଲେ । ହେଲେ ଦଣ୍ଡନାଚରେ ନଗ୍ନତାକୁ ନେଇ ବିବାଦ ଉପୁଜିବାରୁ ମିଶା ମହାରଣାଙ୍କ କାର୍ଯକ୍ରମକୁ ବାତିଲ୍ କରାଯାଇଥିଲା ।

ଏହା ପୂର୍ବରୁ ଭଞ୍ଜନଗର ଭେଜିପୁଟରେ ପଞ୍ଚୁଦଣ୍ଡ ସମୟରେ ବିବାଦ ସୃଷ୍ଟି ହୋଇଥିଲା । ମଞ୍ଚ ଉପରେ ଚଢ଼ିଥିଲେ ଚର୍ଚ୍ଚିତ କଳାକାର ରାଣୀ ପଣ୍ଡା । ମଞ୍ଚ ଉପରେ ଚଢ଼ିବା ପରେ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଉତ୍ସାହ ଭିତରେ କେତେବେଳେ ଠେଲାପେଲା ଆରମ୍ଭ ହୋଇଗଲା, ତାହା ଜାଣି ବି ହେଲାନାହିଁ । ଆଉ ଏହି ଠେଲାପେଲା ପାଇଁ ମାରପିଟ୍ ଭଳି ଘଟଣା ସାମ୍ନାକୁ ଆସିଛି । ଠେଲାପେଲା ଭିତରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଗୋଷ୍ଠୀ ସଂର୍ଘଷରେ ବ୍ୟାପକ ଭଙ୍ଗାରୁଜା ସହ ସେଠାରେ ଉପସ୍ଥିତ ଥିବା ଲୋକେ ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଗୋବରା, ତୁରୁମ ଓ ନୂଆଁ ମହୁଲିଆରେ ରକ୍ତାକ୍ତ ସଂର୍ଘଷ ହୋଇଥିବା ଜଣାପଡ଼ିଥିଲା । ସେହିପରି ଗତ ଫେବୃୟାରୀ ମାସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଅଭିନେତା ପପୁ ପମପମ୍୍ଙ୍କ ଉପରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇଥିଲା । ଗଞ୍ଜାମ ଚିକିଟି ବ୍ଲକ୍ ସୁରଳ ଗାଁରେ ଜାଗରଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଇଥିଲେ ପପୁ ପମପମ । ଏହି ସମୟରେ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା । ତେବେ ମାତ୍ର କିଛି ଇଞ୍ଚର ବ୍ୟବଧାନରେ ବର୍ତ୍ତିଯାଇଥିଲେ ପପୁ । ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇ ଆସିଥିଲେ ।