ଯାଜପୁର ବ୍ୟାସନଗରରେ ଗହଣା ଦୋକାନରୁ ଲୁଟ୍ ଘଟଣା । ୩ ଲୁଟେରାଙ୍କ ଫଟୋ ଜାରି କଲା ପୋଲିସ ।

1,467

କନକ ବ୍ୟୁରୋ: ବ୍ୟାସନଗର ଗହଣା ଦୋକାନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ୩ ଲୁଟେରାଙ୍କ ଫଟୋ ଜାରି କରିଛି ପୋଲିସ । ୭ ଜଣ ଲୁଟେରାଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ଯାଜପୁର ବ୍ୟାସନଗର ସହରରେ ସେନକୋ ଗୋଲ୍ଡ ସୋରୁମରୁ ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହାପରେ ଡକାୟତଙ୍କୁ ଧରିବା ଏବଂ ସୁନା ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପୋଲିସ୍ ପାଇଁ ବଡ ଚ୍ୟାଲେଞ୍ଜ ଠିଆ କରିଥିଲା ।

ତେବେ ଯାଜପୁରର ଏସପିଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ପୋଲିସର ଛାନଭିନ ଜାରି ରହିଛି । ଏହାରି ଭିତରେ ଲୁଟେରାଙ୍କ ଫଟୋ ଜାରି କରିଛି ଯାଜପୁର ପୁଲିସ । ସୁନା ଦୋକାନୀ ଲୁଟ୍ ଘଟଣାରେ ଏହି ୩ ଜଣଙ୍କ ସଂପୃକ୍ତି ରହିଛି । ଏମାନଙ୍କ ବାବଦରେ କୌଣସି ସୂଚନା ପାଇଲେ ପୁଲିସକୁ ଜଣାଇବା ପାଇଁ ଦୁଇଟି ଫୋନ ନମ୍ବର ଦିଆଯାଇଛି । ଡକାୟତମାନେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ସିସିଟିଭି କ୍ୟାମେରା ଓ କମ୍ପ୍ୟୁଟର ହାର୍ଡଡିସ ଗୁଡିକ ଖୋଲିନେଇଥିଲେ । ମାତ୍ର ଗୋଟିଏ ହାର୍ଡଡିସ୍ ସୁରକ୍ଷିତ ଥିବାରୁ ତାହାକୁ ଆଧାର କରି ଯାଞ୍ଚ କରୁଛି ପୋଲିସ । ଯେଉଁଥିରୁ ଏହି ଡକାୟତି ଘଟଣା ସମ୍ପର୍କରେ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି ।

ସେପଟେ ଖୁବଶୀଘ୍ର ପୋଲିସ ଡକାୟତମାନଙ୍କୁ ଠାବ କରି ଗିରଫ୍ କରିପାରିବ ବୋଲି ଯାଜପୁର ଏସପି ଭିନିତ୍ ଅଗ୍ରୱାଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଡକାୟତ ମାନେ ଡକାୟତି କରୁଥିବା ବେଳେ ହିନ୍ଦୀରେ କଥାବାର୍ତା କରୁଥିଲେ । ଏମାନେ ଆନ୍ତଃରାଜ୍ୟ ଡକାୟତ ବୋଲି ପୋଲିସ ସନ୍ଦେହ କରୁଥିବାରୁ ସେମାନଙ୍କୁ ଠାବ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଡକାୟତ ମାନେ ଡକାୟତି ପରେ ଯେଉଁଯେଉଁ ରାସ୍ତା ଦେଇ ଯାଇଥିଲେ ତାହାର ଅନୁସନ୍ଧାନ ଜାରିରଖିଛି ପୋଲିସ୍ ।