ସହିଦ ଯବାନଙ୍କ ଶେଷ ସନ୍ଦେଶ..! ଆତଙ୍କୀ ହମଲାରେ ସହିଦ ହେବା ପୂର୍ବରୁ ଫେସବୁକ୍ ପେଜରେ ଲେଖିଥିଲେ- ଦେଶକେ ଲିୟେ ଜିନା, ଦେଶକେ ଲିୟେ ମରନା

955

କନକ ବ୍ୟୁରୋ: ଫେସ୍‌ବୁକ୍‌ ଆକାଉଣ୍ଟରେ ଲେଖିଥିଲେ ‘ଦେଶ୍‌ କେ ଲିୟେ ଜିନା, ଦେଶ୍‌ କେ ଲିୟେ ମର୍‌ନା’..ହେଲେ ୨୪ ଘଣ୍ଟା ବିତିନି, ଦେଶ ପାଇଁ ସେ ସହିଦ ହୋଇଗଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ବଡ଼ସୁଆଁଳ ଗାଁର ଯବାନ ଅଜିତ କୁମାର ସାହୁ(୨୭) ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ‌ରେ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ବଡ଼ସୁଆଁଳ ସମେତ ସମଗ୍ର କାମାକ୍ଷାନଗର ଉପଖଣ୍ଡକୁ ଶୋକରେ ଡୁବାଇ ଦେଇଛି। ବଡ଼ସୁଆଁଳ ଗାଁର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ ମାତ୍ର ୪ ବର୍ଷ ତଳେ ୨୦୧୫ ମସିହାରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ। ତାଲିମ ଶେଷ ପରେ କୋଲକତାରେ ୨ ବର୍ଷ କାର୍ଯ୍ୟ କରିଥିଲେ।

ସେଠାରୁ ତାଙ୍କର ବଦଳି ହୋଇଥିଲା ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ଏକ କ୍ୟାମ୍ପକୁ। ସୋମବାର ଦିନ ସକାଳେ ସେନା ଗାଡ଼ିରେ ଯିବାବେଳେ ବାପା ସନ୍ତୋଷଙ୍କ ସହ ସେ ଫୋନ୍‌ରେ ଶେଷଥର ପାଇଁ କଥା ହୋଇଥିଲେ। କହିଥିଲେ ‘ଆଜି ମୁଁ କ୍ୟାମ୍ପ୍‌ରେ ଯୋଗ ଦେଉଛି। ଏହା ପରେ ଟଙ୍କା ପଠାଇବି। ବାକି ଥିବା ଘରକାମ ଶେଷ କରିବ ଓ ଆଈଙ୍କ ଚିକିତ୍ସା ବ୍ୟବସ୍ଥା କରିବ।’ ସେତିକିବେଳେ ନିଜ ‌ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଦେଶ ପାଇଁ ତାଙ୍କର ଭାବନା ଓ ଯବାନଙ୍କ ଟୋପି ପିନ୍ଧିଥିବା ତାଙ୍କ ମା’ କୁମୁଦିନୀଙ୍କ ଫଟୋ। ହେଲେ ଗତକାଲି ସକାଳେ ଜମ୍ମୁରୁ ବିଭାଗୀୟ କାର୍ଯ୍ୟାଳୟରୁ ବାପା ସନ୍ତୋଷଙ୍କ ପାଖକୁ ‌ଫୋନ୍‌ ଆସିଥିଲା ଅଜିତ ସହିଦ ହୋଇଯାଇଛନ୍ତି।

ଏହି ଦୁଃଖଦ ଖବର ପାଇବା ପରେ ବାପା ସନ୍ତୋଷ, ମା’ କୁମୁଦିନୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ କାନ୍ଦଣାରେ ଘର ଫାଟି ପଡ଼ିଥିଲା, ସାରା ଗାଁ ଶୋକରେ ସ୍ତବ୍ଧ ହୋଇ ଯାଇଥିଲା। ଅନନ୍ତନାଗ ଅଞ୍ଚଳରେ ସେନାଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଗାଡ଼ିରେ ଅନ୍ୟମାନଙ୍କ ସହ ଯାଉଥିବା ଅଜିତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପ୍ରଚାରିତ ହେବା ପରେ କାମାକ୍ଷାନଗର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃ‌ଷ୍ଟି ହୋଇଛି।