କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ବିଜେଡିର ଦାବି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ହସ୍ତକ୍ଷେପ ପାଇଁ ଦାବି କରିବ ଦଳ ।

55

କନକ ବ୍ୟୁରୋ: କୋଶଳୀ ଭାଷାକୁ ମାନ୍ୟତା ଦେବା ପାଇଁ ଚାଲିଥିବା ସଂଗ୍ରାମରେ ଆମେ କୋଉଠି? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷାକୁ ସାମିଲ କରିବା ପାଇଁ ଦାବି ଉଠିଛି । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଏବଂ ନୀତି ଆୟୋଗଙ୍କ ପାଖରେ ଏହି ଦାବି ରଖିସାରିଛନ୍ତି । ବିଶେଷଜ୍ଞ କମିଟି ରିପୋର୍ଟ ମଧ୍ୟ ଦେଇସାରିଛି । ସାମ୍ବିଧାନିକ ପ୍ରକ୍ରିୟା ସରିଥିବା ବେଳେ ଏହା କାର୍ଯ୍ୟକାରୀ ହେଉନାହିଁ । ରାଷ୍ଟ୍ରପତିଙ୍କର ଏଥିପାଇଁ ସ୍ୱତନ୍ତ୍ର କ୍ଷମତା ରହିଛି ତେଣୁ ଏନେଇ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବାକୁ ବୋଲି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସୌମ୍ୟରଂଜନ ।

ଭାରତରେ ୩୦ଲକ୍ଷ ଏବଂ ଓଡିଶାରେ ୧୦ ଲକ୍ଷ ଲୋକ ହୋ ଭାଷା ବ୍ୟବହାର କରନ୍ତି । ମାଧୁର୍ଯ୍ୟ ରହିଥିବା ଏହି ଭାଷାକୁ ମାନ୍ୟତା ନ ମିଳିଲେ ଆଗାମୀ ଦିନରେ ଏହା ଲୋପ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପଶ୍ଚିମ ଓଡିଶାର ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ ସଂସଦରେ ଉପସ୍ଥାପନ କରିବାକୁ ଦାବି ହୋଇଛି ।

ଅନ୍ୟପକ୍ଷରେ ବିଜେପି କହିଛି, କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ତେବେ ଏଥିପାଇଁ ରାଜ୍ୟ ସରକାର ଆଗଭର ହେବା ଦରକାର । ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ ଟିମ ପଠାନ୍ତୁ । ବିଜେଡି ତାର ଦାବି ତାଙ୍କୁ ଦେଲେ ସେ ନିଜେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖରେ ପହଂଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।