ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି : କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ ପାଳନ; କେଉଁଠି ସମର୍ଥନ, କେଉଁଠି ବିରୋଧ

816

କନକ ବ୍ୟୁରୋ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ କ୍ରାନ୍ତି ମୁକ୍ତି ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ବଲାଙ୍ଗିରରେ । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରଦର୍ଶନ କରୁଛନ୍ତି କର୍ମୀ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜରୁରୀକାଳୀଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

କୋଶଳ ପ୍ରଦେଶ ଦାବିରେ କଳାହାଣ୍ଡିରେ ବନ୍ଦ ପାଳନ କରାଯାଉଛି । ଭବାନୀପାଟଣା ନକଟିଗୁଡ଼ା, ଘୋଡ଼ାଘାଟ ଛକ ଓ କଲେଜ ଛକରେ ଆନ୍ଦୋଳନକାରୀ ମାନେ ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି । କେସିଙ୍ଗାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ବରଗଡ଼ରେ ମଧ୍ୟ କୋଶଳ ରାଜ୍ୟ ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ବନ୍ଦ ରହିଛି । ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି ।

ହେଲେ ସମ୍ବଲପୁରରେ ଏହାକୁ ସମର୍ଥନ ମିଳୁ ନାହିଁ । ଏହି ଆନ୍ଦୋଳନକୁ ବିରୋଧ କରିଛନ୍ତି ସମ୍ବଲପୁରର ୫୦ରୁ ଅଧିକ ସଂଗଠନ । ଏନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ଆମ ରାଜ୍ୟ ହୀରାଖଣ୍ଡି ଓ ଭାଷା ସମ୍ବଲପୁରୀ ବୋଲି ପୋଷ୍ଟରରେ ଲେଖା ରହିଛି । ଫଳରେ ସମ୍ବଳପୁରରେ କୋଶଳ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳି ନାହିଁ । ସେପଟେ କୋଶଳ ଶବ୍ଦକୁ ସମ୍ବଲପୁରରେ ଘୋର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି ।