ପଶ୍ଚିମବଙ୍ଗରେ ପୁଣିଜଣେ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୧୫ ଦିନରେ ଆତ୍ମହତ୍ୟା କଲେ ୩ ବେଙ୍ଗଲୀ ଅଭିନେତ୍ରୀ

206

କନକ ବ୍ୟୁରୋ : ବଙ୍ଗଳା ସିନେ ଇଣ୍ଡଷ୍ଟ୍ରିଜର ଆଜି ବି ଆସିଛି ପୁଣିଏକ ଦୁଖଦ ଖବର । ଆଜି ବି ପୁଣିଜଣେ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମଞ୍ଜୁସା ନିୟୋଗୀ ନାମକ ଏହି ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ପାଟୁଳୀ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି ।

ଗତ ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା ବୋଲି କୁହାଯାଉଛି । ଅର୍ଥାତ ଗତ ୧୫ ଦିନ ମଧ୍ୟରେ ବଙ୍ଗଳା ସିନେ ଇଣ୍ଡଷ୍ଟ୍ରିଜର ୩ ଜଣ ଅଭିନେତ୍ରୀ ଆତ୍ମହତ୍ୟା କରିସାରିଛନ୍ତି । ଏଭଳି ଖବର ଏବେ ପଶ୍ଚିମବଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମେ ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ପଲ୍ଲବୀ ଦେ ଆତ୍ମହତ୍ୟା କରିଥିଲେ । ମେ ୧୫ ତାରିଖରେ ପଲ୍ଲବୀଙ୍କ ଶବ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ପଲ୍ଲବୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପଲ୍ଲବୀଙ୍କ ପ୍ରେମିକଙ୍କୁ ଗିରଫ କରିଛି ।

ଏହାପରେ ଦୁଇଦିନ ପୂର୍ବରୁ ଉତ୍ତର କୋଲକତାରେ ଅଭିନେତ୍ରୀ ବିଦିଶା ଦେ ମଜୁମଦାରଙ୍କ ଶବ ବି ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ଶବ ନିକଟରୁ ଏକ ସୁଇସାଇଡ ନୋଟ ଉଦ୍ଧାର କରାଯାଇଥିଲା  । ଏଥିରେ ସେ ଏହି ଆତ୍ମହତ୍ୟା ପାଇଁ ନିଜେ ଦାୟୀ ବୋଲି ଲେଖାଯାଇଥିଲା । ଏହି ମାମଲାରେ ବି ବିଦିଶାଙ୍କ ବୟଫ୍ରେଣ୍ଡର ସଂପୃକ୍ତି ଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି ।

କୁହାଯାଉଛି କି ବଦିଶା ଓ ମଞ୍ଜୁସା ଦୁଇଜଣ ଅତି ଘନିଷ୍ଠ ବନ୍ଧୁ ଥିଲେ । ମଞ୍ଜୁସାଙ୍କ ମାଙ୍କ କହିବା ମୁତାବକ ବିଦିଶାଙ୍କ ଆତ୍ମହତ୍ୟା ପରେ ମଞ୍ଜୁସା ଡିପ୍ରେସନରେ ଥିଲେ । ସେପଟେ ପୋଲିସ ମଞ୍ଜୁସାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।