ବାଉନ୍ସର ବଲରେ ଆହତ ହେଲେ ବିରାଟ । ଭଙ୍ଗା ନଖରେ ବ୍ୟାଟିଂ କରି ମାରିଲେ ଦମଦାର ଶତକ, ଦଳକୁ ଦେଲେ ରୋମାଞ୍ଚକର ବିଜୟ ।

448

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆରେ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ଶତକ ଓ ଶ୍ରେୟଶ ଆୟାରଙ୍କ ୬୫ ରନ୍ ସହାୟତାରେ ୬ ୱିକେଟରେ ବିଜୟୀ ହୋଇଛି ବିରାଟ ବାହିନୀ । ୩୫ଓଭରରେ ୨୫୫ ରନର ପିଛା କରୁଥିବା ଭାରତୀୟ ଦଳ ୩୨ ଓଭର ୩ଟି ବଲରେ ମାତ୍ର ୪ୱିକେଟ ହରାଇ ୨୫୬ ରନ୍ କରିଥିଲା ।

ତେବେ ମ୍ୟାଚ୍ ମଝିରେ ପୁରା ଭାରତ ଚିନ୍ତିତ ହୋଇପଡିଥିଲା, ଯେତେବେଳେ ଅଧିନାୟକ ବିରାଟ୍ କୋହଲିଙ୍କ ଡାହାଣ ହାତ ଆଙ୍ଗୁଳିରେ ବଲ୍ ବାଜିଥିଲା । ଭାରତ ବ୍ୟାଟିଂର ୨୭ତମ ଓଭରରେ କେମାର ରୋଚଙ୍କ ଏକ ବାଉନସର ବଲ୍ ବିରାଟଙ୍କ ଆଙ୍ଗୁଳିରେ ବାଜିଥିଲା । ଯାହାଫଳରେ କୋହଲି ଆହାତ ହେବା ସହ ଫିଜିଓଙ୍କ ଆଡକୁ ଇସାରା କରିଥିଲେ । ଆଉ ଏହା ପରେ ଜଣାପଡିଥିଲା ଯେ, ବିରାଟଙ୍କ ଆଙ୍ଗୁଳିର ନଖ ଉପୁଡିଯାଇଥିଲା । ଏହା ପରେ ମଧ୍ୟ ବ୍ୟାଟିଂ ଜାରି ରଖିବା ସହ ଦଳକୁ ବିଜୟୀ କରାଇଥିଲେ କୋହଲି ।

ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ଭଲ ଆରମ୍ଭ କରିଥିଲେ ମଧ୍ୟ କ୍ରିସ ଗେଲଙ୍କ ଆଉଟ୍ ପରେ ରନ୍ ହାର ଧିମା ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟିଇଣ୍ଡିଜ୍ ଦଳ ନିର୍ଦ୍ଧାରିତ ୩୫ ଓଭରରେ ୨୪୦ ରନ୍ କରିଥିଲା । ତାପରେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବାରୁୁ ଡକୱାର୍ଥ ଲୁଇସ ନିୟମ ଅନୁସାରେ ଟିମ୍ ଇଣ୍ଡିଆକୁ ୩୫ ଓଭରରେ ୨୫୫ ରନର ଟାର୍ଗେଟ୍ ଦିଆଯାଇଥିଲା । ୨୫୬ରନ୍ ପିଛା କରୁଥିବା ଭାରତୀୟ ଦଳ ୪ୱିକେଟ ହରାଇ ୩୨ଓଭର ତିନିଟି ବଲରେ ଏହି ଲକ୍ଷ୍ୟ ପୂରଣ କରିନେଇଥିଲା । ଏହି ବିଜୟ ସହ ଟିମ ଇଣ୍ଡିଆ ସିିରିଜ୍ କବଜା କରିନେଇଛି । ଏହି ମ୍ୟାଚରେ ବିରାଟ କୋହଲି ତାଙ୍କର ଦିନିକିଆ ୪୩ତମ ଶତକ କରି ରେକର୍ଡ କରିଛନ୍ତି ।