ହିଞ୍ଜିଳି ପାଇଁ ୨୮କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ସହର ଭଳି ପ୍ରତିଟି ସୁବିଧା ପାଇବେ ହିଞ୍ଜିଳିବାସୀ ।

81

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ହେଉଛନ୍ତି ଏ ଜାତିର ଓ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି ଓ ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି । ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବଶୀଘ୍ର ହିଞ୍ଜିଳି ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ଭେଟିବେ । ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିଥିବେ । ସାରା ଓଡିଶା ସହିତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଞ୍ଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି କହିଛନ୍ତି ।

ହିଞ୍ଜିଳି ସହରର ବିକାଶ ପାଇଁ ୨୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦିଆଯାଉଛି ବୋଲି ନବୀନ କହିଥିଲେ ।