ମେଘାଳୟରେ କିଏ ଗଠନ କରିବ ସରକାର ? ଏବେ ବି ବହୁମତ ଠାରୁ ଦୂରରେ ସଂଗମାଙ୍କ ପାର୍ଟି

1,486

କନକ ବ୍ୟୁରୋ : ଦେଶର ୩ ଉତ୍ତର ପୂର୍ବ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଏଥି ମଧ୍ୟରୁ ତ୍ରିପୁରା ଓ ନାଗାଲାଣ୍ଡରେ ଏନଡିଏ ସରକାର ଗଠନ କରିବା ନେଇ ବହୁମତ ହାସଲ କରିସାରିଛି । ହେଲେ ମେଘାଳୟରେ କୌଣସି ଏକକ ରାଜନୈତିକ ଦଳକୁ ବହୁମତ ମିଳିନଥିବାରୁ ଏଠାରେ କିଏ ସରକାର ଗଠନ କରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ମେଘାଳୟରେ ସବୁଠାରୁ ଅଧିକ ଆସନ ପାଇଥିôବା କନରଡ ସଂଗମାଙ୍କ ଏନପିପି ସରକାର ଗଠନ କରିବ ବୋଲି ସଂଗମା ରାଜ୍ୟପାଳଙ୍କୁ ବହୁମତ ପ୍ରମାଣର ପତ୍ର ଦେଇସାରିଥିଲେ । ମେଘାଳୟରେ ସରକାର ଗଠନ କରିବାକୁ ୩୧ ଜଣ ବିଧାୟକଙ୍କର ସମର୍ଥନ ଆବଶ୍ୟକ ଥିବା ବେଳେ ଏନପିପି ୨୬, ବିଜେପି ୨, ଏଚଏସପିଡିପି ୨ ଓ ୨ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସଂଗମା ସରକାର ଗଠନ କରିବେ ବୋଲି ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ । ହେଲେ ହଠାତ ଏଚଏସପିଡିପିର ୨ଜଣ ବିଧାୟକ ତାଙ୍କ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ସଂଗମା କିଭଳି ସରକାର ଗଠନ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଶୁକ୍ରବାର ଦିନ ସଂଗମା ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ଦେବାର କିଛି ସମୟ ପରେ ଏଚଏସପିଡିପି ଏକ ଚିଠି ସବୁ ଗଡବଡ କରିଦେଇଛି । ଏହି ଚିଠିରେ ଏଚଏସପିଡିପି କହିଛି କି ତାଙ୍କ ଦଳର ଦୁଇଜଣ ବିଧାୟକ ସଂଗମାଙ୍କ ସରକାରକୁ ସମର୍ଥନ ଦେବା ପାଇଁ ଦଳ ତରଫରୁ ଅନୁମତି ଦିଆଯାଇନାହିଁ ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏଚଏସପିଡିପି ଅଧ୍ୟକ୍ଷ କେପି ପାଙ୍ଗନିୟାଙ୍ଗ ଓ ସଚିବ ପନବୋରଲଙ୍ଗ ରିନଥିୟାଙଙ୍ଗ କହିଛନ୍ତି ଦଳ ତରଫରୁ ସଂଗମା ସରକାରକୁ ସମର୍ଥନ ଦେବା ପାଇଁ ଦଳର ଦୁଇ ବିଧାୟକ ମେଥୋଡିୟସ ଡଖାର ଓ ଶାକ୍ଲିୟର ବାରଜରୀଙ୍କୁ ଅନୁମତି ଦିଆଯାଇନାହିଁ । ଏନେଇ ଦଳ ତରଫରୁ ରାଜ୍ୟପାଳଙ୍କୁ ମଧ୍ୟ ଚିଠି ଲେଖାଯାଇଛି ।