ଦିଲ୍ଲୀରେ ବନ୍ଦ ହୋଇପାରେ ରିହାତି ବିଜୁଳି ସେବା, ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି କୁ ଅସାମ୍ବିଧାନିକ କହିଲେ ଉପ ରାଜ୍ୟପାଳ

566

କନକ ବ୍ୟୁରୋ : ଦିଲ୍ଲୀର କେଜ୍ରିୱାଲ ସରକାର ଦିଲ୍ଲୀବାସୀଙ୍କୁ ମାଗଣା ଓ ରିହାତି ବିଜୁଳି ଯୋଗାଇ ଦେଇ ଦେଶ ରାଜନୀତିରେ ବିଜୁଳି ବିତରଣକୁ ଏକ ମୁଦ୍ଦା କରିଛନ୍ତି । ଦିଲ୍ଲୀ ସରକାରଙ୍କ ଏହି ଯୋଜନାକୁ ଏବେ ଦେଶର ଅନ୍ୟ କିଛି ରାଜ୍ୟସରକାରମାନେ ମଧ୍ୟ ଲାଗୁ କରୁଛନ୍ତି । ଏହାରି ଭିତରେ କେଜ୍ରିୱାଲଙ୍କ ଏହି ଯୋଜନାକୁ ଦିଲ୍ଲୀର ବିରୋଧୀଦଳମାନେ ବାରମ୍ବାର ସମାଲୋଚନା କରୁଛନ୍ତି । ସେମାନଙ୍କ କହିବା କଥା କି, ମାଗଣା ବିଜୁଳି ଯୋଗାଣ ଫଳରେ ଦିଲ୍ଲୀ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢୁଛି । ବିରୋଧୀଙ୍କ ପରେ ଏହି ଯୋଜନାକୁ ନେଇ କଠୋର ହୋଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକସେନା ।

କିଛିଦିନ ତଳେ ଉପ ରାଜ୍ୟପାଳ ଏହି ମାମଲାରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଉପ ରାଜ୍ୟପାଳ ଦିଲ୍ଲୀ ସରକାରଙ୍କୁ ନୋଟିସ କରିଥିଲେ କି, ବିଜୁଳି ରିହାତି ପାଇଁ କ୍ୟାବିନେଟରୁ ଏପର୍ଯ୍ୟନ୍ତ କାହିଁକି ଅନୁମତି ନେଇ ନାହାଁନ୍ତି । କ୍ୟାବିନେଟ୍ ମଞ୍ଜୁରୀ ବିନା ଅନେକ ବର୍ଷ ଧରି କିଭଳି ଭାବେ ଲୋକଙ୍କୁ ବିଜୁଳି ଉପରେ ରିହାତି ଦିଆଯାଉଛି ବୋଲି ଉପ ରାଜ୍ୟପାଳ ପ୍ରଶ୍ନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ ବୋଲି ଉପ ରାଜ୍ୟପାଳ କହିଛନ୍ତି ।

ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକସେନା ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ଦିଲ୍ଲୀ ବିଜୁଳି ବିଲ୍ ରିହାତି ମାମଲାକୁ କ୍ୟାବିନେଟରେ ଉପସ୍ଥାପନ କରାଯାଉ । ଏହାସହ କ୍ୟାବିନେଟ୍ ତରଫରୁ ଏନେଇ ୧୫ଦିନ ମଧ୍ୟରେ ନିଷ୍ପତ୍ତି ନିଆଯାଉ ବୋଲି ଉପ ରାଜ୍ୟପାଳ କହିଛନ୍ତି । ଏହାପରେ ଦିଲ୍ଲୀରେ ଉପଭୋକ୍ତାଙ୍କୁ ବିଜୁଳି ରିହାତି ପ୍ରକ୍ରିୟା ଆଗକୁ ବଢାଇବାକୁ ସେ କହିଛନ୍ତି । ଏହି ମାମଲାକୁ ନେଇ ବିଜୁଳି ବିତରଣ କମ୍ପାନୀ ତରଫରୁ ମୁଖ୍ୟ ସଚିବଙ୍କୁ ଅଭିଯୋଗ କରାଯାଇଛି । ଏଥିରେ କୁହାଯାଇଛି କି, ଦେଣନେଣ ନିୟମର ଉଲଙ୍ଘନ ଓ ନିର୍ଦ୍ଧାରିତ ରିହାତିକୁ ୫କିଲୋୱାଟ୍ ମଧ୍ୟରେ ସିମିତ ରଖାଯାଉ ।

ସେପଟେ ଏହି ମାମଲା ଉପରେ ଆମ୍ ଆଦମୀ ପାର୍ଟି ତରଫରୁ କୁହାଯାଇଛି କି, ଉପ ରାଜ୍ୟପାଳ ପୁଣିଥରେ ଅବୈଦ୍ଧ ଭାବେ ଆଦେଶ ଜାରି କରିବା ସହ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଙ୍ଘନ କରିଛନ୍ତି । ଏହାକୁ ସରକାର ଗ୍ରହଣ କରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଦଳ କହିଛି କି ଦେଶର ସର୍ବ ବୃହତ ଅଦାଲତ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ତାଙ୍କ ପୂର୍ବ ରାୟରେ ସ୍ପଷ୍ଟଭାବେ କହିଥଲେ ଯେ, ବିଦ୍ୟୁତ ରିହାତି ସମେତ ସ୍ଥାନାନ୍ତରିତ ମାମଲାଗୁଡିକ ଉପରେ ନିଷ୍ପତ୍ତି ନେବାର ଉପ ରାଜ୍ୟପାଳଙ୍କର କୌଣସି ଅଧିକାର ନାହିଁ ।